ଗୋଟିଏ ଗାଁର ୬୦ ପରିବାରଙ୍କୁ ବାସନ୍ଦ : ଥାନା ଆଗରେ ଧାରଣା ଦେଲେ ପୀଡିତ ପରିବାର, ବୈଠକକୁ ନଯିବାରୁ କରାଯାଇଛି ବାସନ୍ଦ

97

କନକ ବ୍ୟୁରୋ : ଏବେ ବି ସମାଜରେ ଚାଲିଛି ନିଆଁ ପାଣି ବାସନ୍ଦ । ଗୋଟିଏ ଗାଁର ୬୦ଟି ପରିବାରକୁ ଗତ ଜୁନ୍ ମାସରୁ ନିଆଁ, ପାଣି, ରାସ୍ତା ଘାଟ, ଦୋକାନ ବଜାର ସବୁକିଛିରୁ ବଂଚିତ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ୬୦ଟି ପରିବାରର ଶହଶହ ଲୋକ ବରଗଡ ଗାଇସିଲଟ ଥାନା ଆଗରେ ଧାରଣା ଦେଇଛନ୍ତି । ନ୍ୟାୟ ନମିଳିବା ଯାଏଁ ଧରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଗାଁରେ ଛୋଟପିଲାଙ୍କ ଏକ ଗଣ୍ଡଗୋଳକୁ ନେଇ ଏହି ୬୦ଟି ଦଳିତ ପରିବାରକୁ ବାସନ୍ଦ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗଣ୍ଡଗୋଳର ସମାଧାନ କରିବାକୁ ବୈଠକ ଡକାଯାଇଥିଲା । ହେଲେ ଏହି ବୈଠକକୁ ଯାଇନଥିଲେ ଦଳିତ ସାହିର ଲୋକେ । ତେଣୁ ବୈଠକରେ ସମାଧାନ କରାଯିବ କଣ, ଏହି ଦଳିତ ପରିବାରଗୁଡିକୁ ଗାଁରେ ବାସନ୍ଦ କରିବାକୁ ନିଷ୍ପତି ହୋଇଥିଲା । ଫଳରେ ଜୁନ୍ ମାସରୁ ଏମାନେ ରାସ୍ତା ଘାଟରେ ଚାଲିପାରୁ ନାହାନ୍ତି । ଦୋକାନ ବଜାର ସବୁ ବନ୍ଦ କରିଦିଆଯାଇଛି । ସ୍ଥୀନୀୟ ପ୍ରଶାସନ ଓ ପୋଲିସକୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ । ତେଣୁ ଶେଷରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।