ଛାଟିପିଟି ହୋଇ କାନ୍ଦୁଛି ଛ ବର୍ଷର ରଚିତା । ହୃଦୟରେ ଛିଦ୍ର ପାଇଁ କାନ୍ଦୁଛି ଯେ କାନ୍ଦୁଛି…ପଢନ୍ତୁ କୁନି ଝିଅର ଏ କରୁଣ କାହାଣୀ

379

କନକ ବ୍ୟୁରୋ: କଇଁ କଇଁ କାନ୍ଦୁଛି କୁନି ଝିଅ । ଜୀବନଠୁ ଯନ୍ତ୍ରଣା ବଳି ଯାଉଥିବାରୁ ଜନ୍ମହେଲା ଦିନରୁ ସେମିତି କାନ୍ଦୁଛି କଅଁଳ କଢି । କୁନି ଝିଅ ରଚିତାର ଏ କାନ୍ଦ ଆଜି ନୁହେଁ, ଦୀର୍ଘ ଛ ବର୍ଷ ହେଲା ଛାଟିପିଟି ହୋଇ ରାହା ଛାଡି କାନ୍ଦୁଛି ରଚିତା । ମାଆ ଗର୍ଭରୁ ହୃତ୍ପିଣ୍ଡରେ ଛିଦ୍ର ନେଇ ଜନ୍ମ ନେବା ପରେ ଆଜି ଯାଏଁ ତା କାନ୍ଦ ବନ୍ଦ ହେଉନି ବରଂ କାନ୍ଦି କାନ୍ଦି ଜୀବନ ଜିଉଁଛି ସେ । ସତେ ଯେମିତି ଭଗବାନ ତାକୁ ଜନ୍ମ ଦେଇଛନ୍ତି କାନ୍ଦିବା ପାଇଁ…

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜନପାଲି ଗାଁର ବସନ୍ତ ଗୌଡ଼ ଓ ବବିତା ଗୌଡଙ୍କ ପାଖରୁ ଜନ୍ମ ନେଇଥିଲା ରଚିତା । ମା ପେଟରୁ ରଚିତା ମାଟିରେ ପଡିବା ପରେ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ । ବସନ୍ତ ଓ ବବିତାଙ୍କ ଜୀବନରେ ତାଙ୍କ ରକ୍ତ ନୂଆ ଏକ କାହାଣୀ ରଚି ଥିବାରୁ ଝିଅର ନାଁ ରଚିତା ରଖିଥିଲେ । ହେଲେ ଝିଅ ଜନ୍ମର କିଛି ମାସ ପରେ ବସନ୍ତ-ବବିତାଙ୍କ ସବୁ ସ୍ୱପ୍ନ ଝାଉଁଳି ଗଲା । ବାପାମାଆଙ୍କ ମୁହଁରେ ହସ ଦେଇଥିବା ଝିଅର ହୃଦୟରେ ଛିଦ୍ର ହେଉଥିବା ଜଣା ପଡିଲା । ହୃଦୟରେ ହୋଲ ହୋଇଥିବାରୁ ରଚିତାକୁ ଜୀବନ ଜିଇଁବା ଏକଦମ କଷ୍ଟ ହୋଇପଡିଛି । କଷ୍ଟ ଏତେ ହେଉଛି ଯେ ରଚିତାର ସବୁତକ କଷ୍ଟ କାନ୍ଦ ହୋଇ ବାହାରି ଆସୁଛି ।

ଜୀବନ କ’ଣ ଜାଣିବା ଆଗରୁ କାନ୍ଦି କାନ୍ଦି ବଞ୍ଚୁଛି ଏଇ କୁନି ଝିଅ । ତେବେ ଜନ୍ମରୁ ଏପରି ଲଗାତର କାନ୍ଦିବା ଯୋଗୁଁ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସା କରାଇ ଥିଲେ ବାପା ମା’ । ହୃତପିଣ୍ଡରେ କଣା ଥିବାରୁ ତାକୁ ଯନ୍ତ୍ରଣା ହେଉଛି ଆଉ ସେଇଥି ପାଇଁ ରଚିତା ରାହା ଛାଡି କାନ୍ଦୁଥିବା ଡାକ୍ତର କହିଥିଲେ । ଡାକ୍ତରଙ୍କ କହିବା ପରେ ଝିଅର ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ବହୁ ଡାକ୍ତରଖାନାକୁ ନେଇଥିଲେ ବାପାମାଆ । ଅଭାବ ଅନଟନ ସତ୍ତେ୍ୱ ଝିଅର ଚିକିତ୍ସା ପାଇଁ ବହୁ ଡାକ୍ତରଖାନା ବୁଲିବା ପରେ ଏବେ ନିରାଶ ହୋଇ ପଡିଛନ୍ତି ଉଭୟେ ।

ସେପଟେ ତରଳ ପଦାର୍ଥ ଖାଇ ବଂଚିଛି କାନ୍ଦୁରୀ ଝିଅ ରଚିତା । ବୟସ ବଢ଼ୁଛି ହେଲେ ଓଜନ ବଢୁନି । ବର୍ଷେ ତଳୁ ଏହି ଦୁଃଖି କୁନି ଝିଅକୁ ଶତ ପ୍ରତିଶତ ବିକଳାଙ୍ଗ ସାର୍ଟିପିଂକେଟ୍ ମିଳିଛି ହେଲେ ଭତ୍ତା ନାହିଁ । ଭତ୍ତା ଗଣ୍ଡାଏ ପାଇଁ ରଚିତାଙ୍କ ବାପା ଜିଳ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଗୁହାରି କରି ଥକି ପଡିଛନ୍ତି । କେବଳ ଭତ୍ତା ନୁହେଁ ସରକାର ଗରିବଙ୍କ ପାଇଁ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ମଧ୍ୟ ସୁବିଧା ପାଇପାରୁ ନାହାନ୍ତି ରଚିତା । ଦାରିଦ୍ର‌୍ୟତାରେ ଛଟପଟ ହେଉଥିବା ବାପାମାଆ ଚିକିତ୍ସା କରାଇବାକୁ ଯାଇ ସର୍ବସ୍ୱାନ୍ତ ହୋଇପଡିଲା ପରେ ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ଯଦି ସରକାରୀ ସହାୟତା ମିଳନ୍ତା ତେବେ ଛ ବର୍ଷ ଯନ୍ତ୍ରଣାକୁ ଝାଡିଝୁଡି ପୁଣି ଛିଡା ହୁଅନ୍ତା ରଚିତା ।