ଅଜା ପାଇଁ ମୁଁ ଶକ୍ତିମାନ… ମାତ୍ର ୩୦ ଟଙ୍କା ପାଇଁ ମରିଗଲା ମଣିଷପଣିଆ । ଲାଞ୍ଚ ନଦେବାରୁ ରୋଗୀକୁ ଛୁଇଁବାକୁ ମନା କରିଦେଲା ମେଡିକାଲ । ଅସହାୟ ଅଜାକୁ ଅଭାବୀର ଷ୍ଟ୍ରେଚର ଉପରେ ଶୁଆଇ ଟାଣି ଟାଣି ନେଲା ନାତି । ଭିଡିଓ ଭାଇରାଲ ପରେ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ ? ଦେଶର ଛାତିରେ କଳଙ୍କର ଦାଗ ଲଗାଇ ଦେଲା ଦେଓରିଆ…
କନକ ବ୍ୟୁରୋ: ଅଜା ! ତମେ ବ୍ୟସ୍ତ ହୁଅନି… ତମର କିଛି ହେବନି… ମୁଁ ଅଛି ପରା । ତମ ନାତି ତମ ପାଖରେ ଅଛି ପରା, ଜମା ଡରନି… ଡାକ୍ତରଖାନା ନଛୁଉଁ, ମୁଁ ତମକୁ ମୋ କୁନି ହାତରେ ଟାଣିଟାଣି ନେଇଯିବି…
ଅଭାବୀର ଷ୍ଟ୍ରେଚର ଉପରେ ଅଜା । କୃତଘ୍ନ ବ୍ୟବସ୍ଥା, କୃତଜ୍ଞ ନାତି । ଆଗେ ଆଗେ ମାଆ ଟାଣି ନେଉଛି, ପଛେ ପଛେ କୁନିପୁଅ ଷ୍ଟ୍ରେଚରକୁ ଠେଲି ଦେଉଛି । ପଇସା ପାଇଁ ସିନା ଅଜାଙ୍କୁ ଛୁଇଁଲାନି ଡାକ୍ତରଖାନା, ହେଲେ ସହି ପାରିଲାନି ଗେହ୍ଲା ନାତି । ଶରୀରରେ ଶକ୍ତି ନଥାଉ ପଛେ ତା ଟିକି ଟିକ ହାତ, ଛୋଟ ଛୋଟ ପାଦରେ ଶକ୍ତି ଜୁଟାଇ ଅଜା ପାଇଁ ଶକ୍ତିମାନ ସାଜିଛି । ଆଉ ଚିକିତ୍ସା ପାଇଁ ଗରିବୀର ଚକ ଗଡାଇ ଆଗକୁ ଆଗକୁ ନେଇଯାଉଛି ୬ ବର୍ଷର କୁନି ପୁଅ ଶିବମ୍ ।
ଦିନ ତମାମ ସୋସିଆଲ ମିଡିଆରେ ସେୟାର ସାଉଁଟିଥିବା ଉତ୍ତରପ୍ରଦେଶ ଦେଓରିଆର ଏ ଦୃଶ୍ୟ ଲୋକଙ୍କୁ ଯେତିକି ଭାବ ବିହ୍ୱଳ କରିଛି ଦେଶର ଛାତିରେ ସେତିକି ଦାଗ ବୋଳିଛି । କାରଣ ଏଠି ରୋଗୀ ଭଲ କରୁଥିବା ହସ୍ପିଟାଲକୁ ରୋଗ ହୋଇଛି । ବ୍ୟବସ୍ଥା ଏଠି ଲାଞ୍ଚ ଆଉ ସନ୍ଦେହର ସ୍ରୁଦ୍ରରେ ବୁଡି ଯାଇଛି ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଗୋଡହାତ ଭାଙ୍ଗିଯିବା ପରେ ତାଙ୍କୁ ଦେଓରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ସପ୍ତାହ ଧରି ବୃଦ୍ଧଙ୍କ ଚିକିତ୍ସା ଚାଲିଥିବା ବେଳେ ପ୍ରତିଦିନ ୱାର୍ଡରୁ ଡ୍ରେସିଂ ରୁମକୁ ଉକ୍ତ ବୁଢା ବାପାଙ୍କୁ ନେଇଯାଆନ୍ତି ତାଙ୍କ ଝିଅ ବିନ୍ଦୁ । ସଂକ୍ରମଣ ସନ୍ଦେହରେ କାଳେ କରୋନା ହୋଇଯିବ ସେଥିପାଇଁ କୌଣସି କର୍ମଚାରୀ ବି ଛୁଅଁନ୍ତିନି । ଏମିତିକି ଯଦି ଷ୍ଟ୍ରେଚର ଟାଣିବେ ତେବେ ଥରକୁ ୩୦ ଟଙ୍କା ଲାଞ୍ଚ ମାଗନ୍ତି ମେଡିକାଲ କର୍ମଚାରୀ । ଅଭାବୀର ବାରଣ୍ଡାରେ ବସିଥିବା ବିନ୍ଦୁଙ୍କ ପାଇଁ ଫି ଦିନ ୩୦ ଟଙ୍କା ଦେବା ଅସମ୍ଭବ । ତେଣୁ ସେ ନିଜ ବାପାଙ୍କୁ କୁନି ପୁଅ ସାହାଯ୍ୟରେ ଏମିତି ଷ୍ଟ୍ରେଚରରେ ବୋହି ନେବା ଆଣିବା କରନ୍ତି । ଆଉ ଏବେ କୁନି ପୁଅର ଭିଡିଓ ଭାଇରାଲ ହେବା ପରେ ଦେଓରିଆ ପାଇଁ ଦେଶର ହୃଦୟରେ ଲାଗିଛି କଳଙ୍କର ଦାଗ ।
ମହାମାରୀ ବେଳେ ଖାଲି ଦେଓରିଆର ଦୃଶ୍ୟ ନୁହେଁ ପୂର୍ବରୁ ଅନେକ ଦୃଶ୍ୟ ଦେଶର ଛାତିକୁ ଦୋହଲାଇ ଦେଇଛି । କେବେ ଭୋକର ଭଉଁରୀରୁ ମମତାକୁ ବଞ୍ଚାଇବାକୁ ଅସହାୟ ଜନପଥରେ ମାଆ ଅସରନ୍ତି ଯାତ୍ରା କରିଛି । ତ କେବେ ଜିନିଷ ବୁହା ଚକା ଉପରେ ଜୀବନ ଗଡି ଗଡି ଯାଇଛି । ଲକଡାଉନ ବେଳେ ପଞ୍ଜାବରୁ ଉତ୍ତର ପ୍ରଦେଶ ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା ବେଳେ କେମିତି ଜଣେ ଅସହାୟ ମାଆ ତା ପୁଅକୁ ସୁଟକେଶରେ ଶୁଆଇ ଚାଣିଟାଣି ନେଉଥିଲା ସେ ଚିତ୍ର ସମସ୍ତଙ୍କୁ ଚମକାଇ ଦେଇଥିଲା । ସେହିପରି ବିହାରର ଏ ହୃଦୟ ବିଦାରକ ଦୃଶ୍ୟ ଦେଶର ଆଖିରେ ଲୁହ ଆଣିଦେଇଥିଲା । ପେଟରେ ତାଲା ପଡିବା ପରେ କେମିତି ଗୋଟେ ଶ୍ରମିକ ମାଆ ଭୋକରେ ମରିଯାଇଥିଲା ଆଉ ମୃତ୍ୟୁ କଣ ବୁଝିନଥିବା ତା କୁନି ପୁଅ ଚାଦର ତଳୁ ତା ମାକୁ ଯେତେ ଡାକିଲେବି ଜମା ଉଠୁ ନଥିଲା… ସେ କରୁଣ କାହାଣୀ ଭାରତମାତାର ଛାତିକୁ ଭାରି ଭାରି କରିଦେଇଥିଲା । ଆଉ ଏବେ ଅଭାବୀ ଅଜା ପାଇଁ ଅସହାୟ ନାତିର ଏ ଅଦମ୍ୟ ସାହସ ସରକାରଙ୍କୁ କଟାକ୍ଷ କରୁଛି । କଣ ଏ କୁନି ପିଲା ଆତ୍ମନିର୍ଭରର ଅଙ୍କ କଷୁଛି ?
ମାତ୍ର ୩୦ ଟଙ୍କା ପାଇଁ ମରିଗଲା ମଣିଷପଣିଆ
#ଅଜା_ପାଇଁ #ମୁଁ_ଶକ୍ତିମାନ…#ଦୁଃଖ_ଆଣିଦେଲା_ଦେଓରିଆ_ଦୃଶ୍ୟମାତ୍ର ୩୦ ଟଙ୍କା ପାଇଁ ମରିଗଲା ମଣିଷପଣିଆ । ଲାଞ୍ଚ ନଦେବାରୁ ରୋଗୀକୁ ଛୁଇଁବାକୁ ମନା କରିଦେଲା ମେଡିକାଲ । ଅସହାୟ ଅଜାକୁ ଅଭାବୀର ଷ୍ଟ୍ରେଚର ଉପରେ ଶୁଆଇ ଟାଣି ଟାଣି ନେଲା ନାତି । ଭିଡିଓ ଭାଇରାଲ ପରେ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ ? ଦେଶର ଛାତିରେ କଳଙ୍କର ଦାଗ ଲଗାଇ ଦେଲା ଦେଓରିଆ…#SpecialReport #Deoria #stretcher #Hospital #ViralVideo
Posted by Kanak News on Tuesday, 21 July 2020
Comments are closed.