ସାମ୍ବାଦିକତା ନାଁରେ ଦଲାଲିଗିରି । ବୁମ ଦେଖାଇ ବଟି ମାଗୁଥିଲେ, ପୋଲିସ ପଞ୍ଝାରେ କେମିତି ପଡିଲେ ? ପଢନ୍ତୁ ପର୍ଦ୍ଦାଫାସର ପୂରା କାହାଣୀ…

1,795

କନକ ବ୍ୟୁରୋ: ଟଙ୍କା ଦିଅ ନହେଲେ ଟେଲିକାଷ୍ଟ କରିଦେବୁ… ପଇସା ଦିଅ ନହେଲେ ପୋଲିସକୁ ଡାକି ପର୍ଦ୍ଦାଫାସ କରିଦେବୁ । ଖବର ବଜେଇବୁ, ପୂରା ବରବାଦ କରିଦେବୁ… ଏମିତି କିଛି ଧମକ, ଚମକ ଦେଇ ବଟି ମାଗୁଥିଲେ ଆଉ ଟଙ୍କା ଚଳୁ କରିବାର ଜାଲ ବିଛାଇଥିଲେ ଦଲାଲ ସାମ୍ବାଦିକ । ହେଲେ ମହଙ୍ଗା ପଡିଲା ଦଲାଲ ସାମ୍ବାଦିକଙ୍କ ୪୨୦ କାମ । ଆଉ ଜଣ ଜଣ କରି ୬ ଜଣଙ୍କ ହାତରେ ହାତକଡି ପକାଇ ବାନ୍ଧିନେଲା ପୋଲିସ । ଆଉ କମିଶନରେଟ ପୋଲିସ ପର୍ଦ୍ଦାଫାସ କଲା କିଛି ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ କଳା କାରନାମା ।

ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ୍ କରିବାର ଭୟ ଦେଖାଇ ଏ ଦଲାଲ ସାମ୍ବାଦିକ ୩ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରଥମ କିସ୍ତିରେ ୯୯ ହଜାର ଏବଂ ପରେ ୩୪ ହଜାର ଟଙ୍କା ନେଇଥିଲେ । ସମସ୍ତେ ନିଜକୁ ସାମ୍ବାଦିକ କହି, ଏକ ୱେବ୍ ଚ୍ୟାନେଲର ବୁମ ଦେଖାଇ ଟଙ୍କା ନେଇଥିଲେ । ତେବେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଆଉ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା, ୨ଟି କାର, ୪ଟି ବାଇକ୍, ମୋବାଇଲ ଫୋନ ସହ ଆଇକାର୍ଡ ଜବତ କରାଯାଇଛି ।

ତେବେ କିଏ ସେ ସାମ୍ବାଦିକ ? ଯେଉଁମାନେ ବୁମର ବହପ ଦେଖାଇ, ସାମ୍ବାଦିକତାର ନାଁକୁ ବିକି ଟଙ୍କା ହଡପ କରୁଥିଲେ । ଜାଣନ୍ତୁ ସାମ୍ବାଦିକତା ନାଁରେ ଦଲାଲଗିରି କରୁଥିବା ଏହି ୬ ୱେବ ସାମ୍ବାଦିକଙ୍କୁ । କାହ୍ନୁ ଚରଣ ନାୟକ (ଟାଇମ୍ସ ଓଡିଆ), ବିନାୟକ ବେହେରା (ଆଇୟାଇଏ ନ୍ୟୁଜ୍), ବିଶ୍ୱରଞ୍ଜନ ମହାନ୍ତି (ଭିଜନ ଟିଭି), ଲକ୍ଷ୍ମୀକାନ୍ତ ସାହୁ (ଅନୟା ନ୍ୟୁଜ୍), ନୃସିଙ୍ଘ ବେହେରା (ଟାଇମ୍ସ ଓଡିଆ) ଓ ବଳରାମ ବେହେରା ।

ଏବେ ଛତୁ ଫୁଟିଲା ପରି ଅନେକ ୱେବ ଚ୍ୟାନେଲ ଗଢି ଉଠୁଛି । କିଏ ନିଜକୁ ବଞ୍ଚାଇବାକୁ ଚ୍ୟାନେଲ କରୁଛି ତ କିଏ ଲୋକପ୍ରିୟତା ପାଇଁ । ଆଉ ଏମିତି କିଛି ଲୋକ ସାମ୍ବାଦିକତା ନାଁରେ ଟଙ୍କା ଆଦାୟ କରୁଛନ୍ତି । ତେବେ ସାମ୍ବାଦିକତା ନାଁରେ ଦାଦା ବଟି ମାଗିବା କେତେ ଦୂର ଠିକ ? ଏମିତି କିଛି ଲୋକଙ୍କ ପାଇଁ ସାମ୍ବାଦିକ ଏବଂ ସାମ୍ବାଦିକତା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବନି ତ ? କମିଶନରେଟ ପୋଲିସର ଅନରେସନ ‘ଦାଦାବଟିକୁ ନା’ ଏହି ଫେକ ସାମ୍ବାଦିକଙ୍କ ପର୍ଦ୍ଦଫାସ କରିବା ପରେ ଏ ପ୍ରଶ୍ନ ଉଠିଛି ।