ମୋବାଇଲରେ କଥା ହୋଇ ବାଇକ୍ ଚଲାଇବା ପଡିିଲା ମହଙ୍ଗା । ଯୁବକକୁ ୬ ହଜାର ଟଙ୍କା ଫାଇନ୍ କଲା ଭଦ୍ରକ ପୋଲିସ ।

236

କନକ ବ୍ୟୁରୋ: ବାଇକ ଚଲାଇବା ବେଳେ ମହଙ୍ଗା ପଡିଲା ମୋବାଇଲରେ କଥା ହେବା । ଫଳରେ ବାଇକ ଚାଳକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିଛି । ଆଉ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭଦ୍ରକ ଟାଉନ ପୁଲିସ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ବାଇକ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ, ଯାହା ପୁଲିସ୍ ନଜରରେ ପଡ଼ିଥିଲା। ମୋବାଇଲରେ କଥା ହେଉଥିବା ଦେଖି ପୁଲିସ ଉକ୍ତ ଯୁବକଙ୍କୁ ଅଟକାଇଥିଲା। ଏହା ପରେ ପୁଲିସ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଯୁବକଙ୍କ ଉପରେ ୬ହଜାର ଟଙ୍କା ଫାଇନ୍ ଆଦାୟ କରିଥିଲା।

ଯୁବକଙ୍କ ଉପରେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା କାରଣରୁ ୧୮୪ (ସି) ଧାରା ସହ ୫ହଜାର ଟଙ୍କା ଓ ବିନା ହେଲମେଟରେ ଗାଡ଼ି ଚଳାଇବା କାରଣରୁ ୧୯୪(ଡି) ଧାରା ସହ ୧ହଜାର ଟଙ୍କାର ଫାଇନ କଟାଯାଇଛି। ଏନେଇ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଥିଲା। ନୂଆ ନିୟମ ଅନୁଯାୟୀ, ବାଇକରେ ଦୁଇଜଣ ଯାଉଥିଲେ, ଡବଲ୍ ହେଲମେଟ୍ ବାଧ୍ୟତାମୂଳକ। ଏହାଛଡ଼ା ଫାଇନ୍ ଆଦାୟକୁ ମଧ୍ୟ ଅଧିକ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର।