ଓଡିଶାର ଗୌରବ ବଢାଇଲେ ଅଖ୍ୟାତପଲ୍ଲୀର ପୂର୍ଣ୍ଣମାସି ଜାନି । ଗଛମୂଳେ ପାଠ ପଢାଇ ପଦ୍ମ ପୁରସ୍କାର ପାଇଲେ ନନ୍ଦ ସାର୍ । 

162

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ ହେବେ ।

ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ ।  ସେହିଭଳି ଓଡିଶାରୁ ସମାଜସେବା  ପାଇଁ ଶାନ୍ତି ଦେବୀ, କଳାପାଇଁ ପୂର୍ଣ୍ଣମାସି ଜାନି,  ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ ।  ଏହାଛଡା ମେଡିସିନ ପାଇଁ ଡକ୍ଟର କ୍ରିଷ୍ଣ ମୋହନ ପାଠୀ, ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି ।

କଳା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଓଡିଶାର ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୁଷଣ ପୁରସ୍କାର । ଓଡିଶାକୁ ଗର୍ବିତ କରିଛନ୍ତି ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ । ସୁଦର୍ଶନ ନିର୍ଜିବ ପଥର ଦେହରେ ଭରି ଦେଇଥାନ୍ତି ନୂଆ ଜୀବନ । ୧୯୩୯ ମସିହାରେ ଜନ୍ମଲାଭ କରିଥିଲେ, ସୁଦର୍ଶନ ସାହୁ । ୧୯୭୭ରେ ପୁରୀରେ ଆରମ୍ଭ କରିଥିଲେ ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ । ୧୯୯୧ରେ ଓଡିଶା ସରକାରଙ୍କ ସହାୟତାରେ ଭୁବନେଶ୍ୱରେ ପ୍ରତିଷ୍ଠା କରିଥିଲେ ସୁଦର୍ଶନ ଆର୍ଟ୍ସ ଆଣ୍ଡ କ୍ରାଫ୍ଟ ଭିଲେଜ୍ । ଏଠାରେ ପଥର, କାଠ ଓ ଫାଇବର ଗ୍ଲାସରୁ କିଭଳି ମୂର୍ତି ନିର୍ମାଣ କରାଯିବ ସେହି ପ୍ରଶିକ୍ଷଣ ଦିଆଯାଏ ।

ଓଡିଶାର ପଦ୍ମ ପୁରସ୍କାର ପାଇଁ ୬ ଜଣଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କନ୍ଧମାଳ ଜିଲ୍ଲାର ପୂର୍ଣ୍ଣମାସୀ ଜାନି । ପୂର୍ଣ୍ଣମାସୀ, ଟାଡିସରୁ ବାଇ ନାଁରେ ବେଶ ଲୋକପ୍ର୍ରିୟ ପରିଚିତ । ପୂର୍ଣ୍ଣମାସୀ କେବେ ସ୍କୁଲ ମାଡ଼ି ନାହାଁନ୍ତି । ହେଲେ, ସେ ବୋଲୁଥିବା କବିତା ଓ ପୌରାଣିକ ଗୀତସାର ପାଇଁ ସେ କନ୍ଧମାଳ ଜିଳ୍ଲାର ଘରେ ଘରେ ପରିଚିତ । ପୂର୍ଣ୍ଣମାସୀଙ୍କ ଘର କନ୍ଧମାଳ ଚାରିପଡ଼ା ଗାଁରେ  । ଏଯାଏଁ ତାଙ୍କର ୧୦ ହଜାରରୁ ଅଧିକ ଭଜନ  ଓ ଜଣାଣ ରେକର୍ଡିଂ କରି ରଖାଯାଇଛି ।

ସେହିପରି ରାୟଗଡା ଗୁଣୁପୁରର ଜଣାଶୁଣା ସମାଜସେବୀ ଶାନ୍ତି ଦେବୀଙ୍କୁ ମିଳିବ ପଦ୍ମ ପୁରସ୍କାର । ଆଦିବାସୀ ଅଧ୍ୟୁସିତ ରାୟଗଡା ଜିଲ୍ଲାର ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ, ଉଚ୍ଚ ଶିକ୍ଷିତ, ଅନାଥ ଶିଶୁ କନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ୧୯୫୧ ମସିହାରୁ କାମ ଆରମ୍ଭ କରିଥିଲେ ଶାନ୍ତି ଦେବୀ ।

ମେଡିିସିନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଡକ୍ଟର କ୍ରିଷ୍ଣମୋହନ ପାଠୀଙ୍କୁ ମିଳିବ ପଦ୍ମ ପୁରସ୍କାର ।  ସେ ହେଉଛନ୍ତି ବ୍ରହ୍ମପୁରର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ । ଏଥିସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ।

ସେହିପରି ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ୧୯୩୪ ମସିହାରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ପରିଚିତ । ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ରଜତ କର ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରି ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ମାଟିର ବର୍ଷିୟାନ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟି ଦୀର୍ଘ ୭୪ବର୍ଷ ଧରି ଗଛମୂଳେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଛନ୍ତି । ୩ରୁ ୬ବର୍ଷର ଶିଶୁମାନେ ତାଙ୍କ ଛାତ୍ରଛାତ୍ରୀ । ଆଖପାଖରେ ଚାଟଶାଳୀ ମାଷ୍ଟ୍ରେ ଭାବେ ସେ ପରିଚିତ । ୧୯୩୯ ମସିହାରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା  ନନ୍ଦ ସାର ପରିବାରର ଆର୍ଥିକ ଦୁସ୍ଥିତି ପାଇଁ ଅଧିକ ପଢିପାରିନଥିଲେ ।