ବନ୍ୟାରେ ୧୩୯ ବ୍ଲକର ୪୯୬୪ ଗାଁ ପ୍ରଭାବିତ । ଏବେ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ।

105

କନକ ବ୍ୟୁରୋ: ଲଗାଣ ବର୍ଷାରେ ଏବେ ରାଜ୍ୟର ସ୍ଥିତି ବେହାଲ । ରାଜ୍ୟ ସରକାରଙ୍କ ରିପୋର୍ଟ ମୁତାବକ ଏବେ ସୁଦ୍ଧା ବନ୍ୟାରେ ୧୩୯ ବ୍ଲକର ୪୯୬୪ ଗାଁ ପ୍ରଭାବିତ ହୋଇଥିବାବେଳେ, ନଷ୍ଟ ହୋଇଛି ମୋଟ ୭୫୪୦ ଘର । ଖାଲି ସେତିକି ନୁହେଁ ବନ୍ୟା ପାଇଁ ମୋଟ ୨୦ ହଜାର ୫୫୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଲଗାଣ ବର୍ଷା ଓ ବନ୍ୟା ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଏବେ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବଢିବାକୁ ଲାଗିଛି । ହୀରାକୁଦର ମୋଟ ୨୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଉପରମୁଣ୍ଡରେ ବର୍ଷା ଯୋଗୁ ପର୍ଯ୍ୟାୟକ୍ରମେ ହୀରାକୁଦର ଗେଟ୍ ଖୋଲାଯାଉଥିବା ସୂଚନା ମିଳିଛି ।

ତଳମୁଣ୍ଡରେ ବର୍ଷା କମିଥିଲେ ବି ହୀରାକୁଦ ଜଳଭଣ୍ଡାରୁ ବନ୍ୟା ଜଳ ଆସୁଥିବାରୁ ମହାନଦୀ ଫୁଲିବାରେ ଲାଗିଛି । ନରାଜ ନିକଟରେ ମହାନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ପାଣି ଆସୁଥିବାରୁ ଅଧିକ ଗେଟ୍ ମଧ୍ୟ ଖୋଲାଯାଇପାରେ । ତେବେ ମହାନଦୀରେ ବଡ ଧରଣର ବନ୍ୟା ଆସିବ ନାହିଁ, ନିମ୍ନ-ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ସେପଟେ ମହାନଦୀରେ ଜଳସ୍ତର ବଢ଼ିବା ପରେ ବିଭିନ୍ନ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଜଳସ୍ତର ବଢ଼ୁଥିବାରୁ ସଜାଗ ହୋଇଛି ଜଳସମ୍ପଦ ବିଭାଗ ।