କେରଳର କୋଝିକୋଡ଼ରେ ସମ୍ପତ୍ତିକୁ ନେଇ ଜଣେ ମହିଳା ପରିବାରର ୬ ସଦସ୍ୟଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ହତ୍ୟା କରିବା ଘଟଣା ପ୍ରଘଟ ହେବାପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସିରିୟଲ କିଲର ଜଲି ଆମ୍ମା ଯୋଶେଫ୍ ୧୪ ବର୍ଷରେ ସ୍ବାମୀଙ୍କଠାରୁ ଆରମ୍ଭ କରି ଶାଶୂ, ଶ୍ବଶୂରଙ୍କ ସମେତ ମୋଟ ୬ ଜଣଙ୍କୁ ସେ ସାଇନାଏଡ ଦେଇ ମାରିଛି। ତାର ଟାର୍ଗେଟରେ ୨ ଜଣ ଶିଶୁ ମଧ୍ୟ ଥିଲେ। ସେମାନଙ୍କୁ ମଧ୍ୟ ସେ ସାଏନାଏଡ୍ ଦେଇ ମାରିବାକୁ ଚେଷ୍ଟା କରିଥିଲା। କିନ୍ତୁ ୨ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଲିର ସ୍ବାମୀ ରୟ ଥୋମାସଙ୍କ ମୃତ୍ୟୁର ୮ ବର୍ଷ ପରେ ପୁଲିସ ଗତ ୫ ତାରିଖରେ ଜଲି ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ଜଲି ଆଉ କେତେ ଜଣଙ୍କୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିବା ତଦନ୍ତରୁ ଜଣାପଡ଼ିଛି। ଜଲି ସମସ୍ତଙ୍କୁ ଖାଦ୍ୟରେ ସାଇନାଏଡ୍ ଦେଇ ମାରିଥିବା ସ୍ବୀକାର କରିଛି।

Advertisment

publive-image

ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଏମଏସ ମାଥ୍ୟୁ (୪୪) ଏବଂ ପ୍ରାଜୀ କୁମାର (୪୮) ଗିରଫ ହୋଇଛନ୍ତି। ମାଥ୍ୟୁ ଜଲିର ଜଣେ ଘନିଷ୍ଠ ସହଯୋଗୀ ଥିଲା। ପ୍ରାଜିକୁମାର ମାଥ୍ୟୁକୁ ସାଏନାଇଡ୍ ଯୋଗାଇ ଦେଉଥିଲା ଏବଂ ପରେ ମାଥ୍ୟୁ ଏହା ଜଲିକୁ ହସ୍ତାନ୍ତର କରୁଥିଲା। ଜଲିର ପ୍ରଥମ ସ୍ବାମୀ ରୟ ଥୋମାସଙ୍କ ଭାଇ ରଜୋ ଆମେରିକାରେ ରହୁଥିବା ବେଳେ ସେ ପରିବାରରେ ହେଉଥିବା ରହସ୍ୟଜନକ ମୃତ୍ୟୁ ନେଇ ପୁଲିସରେ ଅଭିଯୋଗ କରିଥିଲେ। ରଜୋଙ୍କ ଅଭିଯୋଗ ଆଧାରରେ ପୁଲିସ ଜଲିକୁ ଗିରଫ କରିଛି। ଉକ୍ତ ଘଟଣାର ଏବେ ଏସଆଇଟି ତଦନ୍ତ ଆରମ୍ଭ ହୋଇଯାଇଛି। ମାମଲା ବହୁତ ଜଟିଳ ଥିବାରୁ ଏସଆଇଟି ଏକ୍ଷେତ୍ରରେ ବିଦେଶୀ ଲ୍ୟାବର ସହଯୋଗ ନେଇପାରେ ବୋଲି କୁହାଯାଉଛି।

publive-image

ଉଲ୍ଲେଖଯୋଗ୍ୟ ଜଲି ୧୯୯୭ ରେ ରୟ ଥୋମାସଙ୍କୁ ବିବାହ କରିଥିଲା। ଜଣେ ସମ୍ପର୍କୀୟଙ୍କ ଘରେ ଜଲିର ରୟଙ୍କ ସହ ଭେଟ ହୋଇଥିଲା। ଉଭୟ ପ୍ରେମ ବିବାହ କରିଥିଲେ। କିନ୍ତୁ ୨୦୦୨ ମସିହାରୁ ଜଲି ପରିବାରର ଜଣକ ପରେ ଜଣଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା। ପ୍ରଥମେ ୨୦୦୨ ରେ ସେ ଶାଶୂ ଆନ୍ନାମ୍ମା ଥୋମାସଙ୍କୁ ସାଏନାଇଡ୍ ଦେଇ ମାରିଥିଲା। ଏହାର ୬ ବର୍ଷ ପରେ ଜଲି ଶ୍ବଶୂର ଟମ୍ ଥୋମାସଙ୍କର ବି ୨୦୦୮ ରେ ମୃତ୍ୟୁ ହୋଇଥିଲା। ଜଲି ପ୍ରଥମ ସ୍ବାମୀ ରୟ ଥୋମାସଙ୍କୁ ୨୦୧୧ ରେ ହତ୍ୟା କରିଥିଲା। ସେହି ବର୍ଷ ମଧ୍ୟ ସେ ତା’ର ସମ୍ପର୍କୀୟ ଆଲଫାଇନ୍ ଶାଜୁ ନାମକ ଏକ ଶିଶୁକୁ ମାରିଥିଲା। ଏହାର ୨ ବର୍ଷ ପରେ ଆଲଫାଇନ୍ ଶାଜୁର ମା’ ସିଲିଙ୍କୁ ପିଇବା ପାଣିରେ ସାଏନାଏଡ୍ ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସିଲି ମରିବା ପରେ ତା’ ସ୍ବାମୀ ଶାଜୁକୁ ଜଲି ବିବାହ କରିଥଲା।

publive-image

ତେବେ ସମ୍ପତ୍ତିକୁ ନେଇ ଜଲିର ପ୍ରଥମ ସ୍ବାମୀ ରୟ ଥୋମାସଙ୍କ ବଡ଼ ଭାଇ ରଜୋଙ୍କ ସହ ତା’ର ବିବାଦ ହେବାପରେ ଜଲିର ଅସଲ ଚେହେରା ସାମ୍ନାକୁ ଆସିଥିଲା। ରଜୋଙ୍କ ଅଭିଯୋଗ ଅନୁଯାୟୀ ଜଲି ଟମ୍ ଥୋମାସଙ୍କ ସମ୍ପତ୍ତି ଦଲିଲର ନକଲି କରି ନିଜକୁ ଏକମାତ୍ର ଉତ୍ତରାଧିକାରୀ ବୋଲି ଦର୍ଶାଇଥିଲା। ଆଲଫାଇନ୍ ଏବଂ ସିଲିଙ୍କ ରହସ୍ୟଜନକ ମୃତ୍ୟୁ ପରେ ରଜୋ ପୁଲିସରେ ମାମଲା ରୁଜୁ କରିଥିଲେ ଏବଂ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଜଲି ଝିଅମାନଙ୍କୁ ଘୃଣା କରୁଥିଲା। ଏଥିପାଇଁ ସେ ତା’ ଝିଆରୀକୁ ହତ୍ୟା କରିଥିଲା ଏବଂ ନିଜେ ମଧ୍ୟ ଦୁଇ କନ୍ୟା ଭ୍ରୂଣ ହତ୍ୟା କରିଛି। ମାମଲାରେ ଜଲିର ଦ୍ବିତୀୟ ସ୍ବାମୀକୁ ମଧ୍ୟ ପୁଲିସ ଏବେ ଗିରଫ କରି ଜେରା କରୁଛି।