କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ୍ ୨୦ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ । ଆଜି ସକାଳ ସାଢେ ୯ଟାରେ ପୂଜାର୍ଚ୍ଚନା କରାଯାଇ ୭ଟି ଗେଟ୍ ଖୋଲାଯାଇଥିଲା । ଏହାପରେ ଆଉ ୭ଟି ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ଡାହାଣ ପଟେ ୬ଟି ଓ ବାମ ପାର୍ଶ୍ୱରେ ୧୪ଟି ଗେଟ୍ ଖୋଲାଯାଇଛି । ଯେହେତୁ ଡ୍ୟାମ ଭିତରକୁ ବନ୍ୟାଜଳର ପ୍ରବେଶ ବଢୁଛି ତେଣୁ ଆଗକୁ ଆହୁରି ଅଧିକ ଗେଟ୍ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କିନ୍ତୁ ଏବେ ଏବେ ନୁହେଁ ଆସନ୍ତା କାଲି ଜଳସ୍ତରକୁ ଦେଖି ଅଧିକ ଗେଟ୍ ଖୋଲା ଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।
୨୦ଟି ଗେଟ୍ ଖୋଲିଥିବାରୁ ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ପାଣି ବଢୁଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନେ ସତର୍କ କରାଇଛନ୍ତି । ତେବେ ବନ୍ୟା ଜଳର ନିଷ୍କାସନ ଯାହା ରହିଛି ତାହାକୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିନପାରେ ବୋଲି କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।