ଆଇପିଏଲକୁ ଆଉ ୬ ଦିନ : କ’ଣ ରହିବ ଚେନ୍ନାଇ-ମୁମ୍ବାଇର ରଣନୀତି?

424

କନକ ବ୍ୟୁରୋ : ୬ ଦିନ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ । ୧୯ ସେପ୍ଟେମ୍ବରରେ ଆଇପିଏଲ୍ ଇତିହାସର ୨ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଏହି ମ୍ୟାଚରେ ଉଭୟ ଦଳ ବିଜୟୀ ହେବା ପାଇଁ ଚେଷ୍ଟା କରିବେ । ହେଲେ ଉଭୟ ଦଳଙ୍କ ପାଖରେ କ’ଣ ରହିଛି ରଣନୀତି ଆସନ୍ତୁ ଜାଣିବା ।

କ’ଣ ରହିବ ରଣନୀତି?
ଉଭୟ ଦଳ ଏହି ଆଇପିଏଲର ପ୍ରଥମ ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବେ । ତେବେ ଚେନ୍ନାଇର ପ୍ରମୁଖ ଅଲରାଉଣ୍ଡର ସୁରେଶ ରାଇନା ଓ ସ୍ପିନର ହରଭଜନ ସିଂଙ୍କ ଅନୁପସ୍ଥିତି ଦଳକୁ ଚିନ୍ତାରେ ପକାଇପାରେ । ତେବେ କୁହାଯାଉଛି ରାଇନାଙ୍କ ସ୍ଥାନରେ ଅମ୍ବାତି ରାଇଡୁଙ୍କୁ ବ୍ୟାଟିଂ ପାଇଁ ପଠାଯାଇପାରେ । ସେହିପରି ମୁରଲୀ ବିଜୟୀଙ୍କୁ ମଧ୍ୟ ଏଥର ଦଳରେ ସ୍ଥାନ ମିଳିବାର ଆଶଙ୍କା ରହିଛି । ଏହାସହ ଦଳ ପକ୍ଷର ସେନ୍ ୱାଟସନ ଓ ଡୁପ୍ଲେସିସ ଓପନିଂ କରିପାରନ୍ତି ।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଫୁଲ୍ ଦମରେ ଏଥର ପଡିଆକୁ ଓହ୍ଲାଇବ । ଦଳରେ କିରନ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ଡରଙ୍କ ଉପସ୍ଥିତି ଦଳର ଆତ୍ମବିଶ୍ୱାସକୁ ବଢାଇଛି । ଏହାସହ ଟ୍ରେଣ୍ଟ ବୋଲ୍ଡ ଓ ବୁମରାହ ମଧ୍ୟ ଦଳ ପାଇଁ ଲକି ସାବ୍ୟସ୍ତ ହୋଇପାରନ୍ତି । ଅନ୍ୟପକ୍ଷରେ ରୋହିତ ଶର୍ମା ସବୁଥର ପରି ଏଥର ମଧ୍ୟ ଓପନିଂ ପାଳି ସମ୍ଭାଳିପାରନ୍ତି ।

କାହାର ଭାରି ରହିବ ପଲ୍ଲା?
ଆଇପିଏଲ୍ ଇତିହାସରେ ମୁମ୍ବାଇ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ ଥର ଟ୍ରଫି ହାସଲ କରିଛି । ସେହିପରି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୩ ଥର ଟ୍ରଫି ହାସଲ କରିଛି । ଏହାସହ ଆଇପିଏଲରେ ମୋଟ ୨୮ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ-ମୁମ୍ବାଇ । ତେବେ ଏଥିରେ ମୁମ୍ବାଇ ୧୭ଟି ମ୍ୟାଚରେ ବିଜୟୀ ହୋଇଛି । ଅର୍ଥାତ ଏହି ଆଇପିଏଲରେ ମୁମ୍ବାଇର ପଲ୍ଲା ଭାରି ରହିବ ।

୪ ଥର ଫାଇନାଲରେ ମୁହାଁମୁହିଁ
ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍୍ ଫାଇନାଲରେ ଘମାଘଟ ଲଢେଇ ଦେଖିବାକୁ ମିଳିଛି । ଉଭୟ ଦଳ ପାଇନାଲରେ ପରସ୍ପରକୁ ୪ଥର ଭେଟିଛନ୍ତି । ଯେଉଁଥିରେ ମୁମ୍ବାଇ ୩-୧ରେ ଆଗୁଆ ରହିଛି ।