କନକ ବ୍ୟୁରୋ : ପଲିଥିନର ଛାତ, ବାଉଁଶ ତାଟିର କାନ୍ଥ । ଏହାକୁ ଦେଖିଲେ କେହି କେବେ ଭାବି ପାରୁନଥିବେ ଏହା ଗୋଟିଏ ଘର ଏବଂ ଏଠାରେ ରହୁଛନ୍ତି ଏକ ପରିବାର । ହଁ ଆଜ୍ଞା ଏଇଠି ରହୁଛନ୍ତି, ବସ୍ତା ବ୍ଲକ ସନ୍ତୋଷପୁରା ପଞ୍ଚାୟତ ବେଣାପୁରା ଗାଁର ହରପ୍ରୀୟା ମହାପାତ୍ର । ୬ ପ୍ରାଣି କୁଟୁମ୍ବଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ପଲିଥିନ ଟାଙ୍ଗି ଭାଗ୍ୟକୁ ଆଦରି ପଡିରହିଛନ୍ତି । ୩୦/୩୫ ବର୍ଷ ତଳେ ଇନ୍ଦିରା ଆବାସ ଯୋଜନାରେ ଶାଶୁ ବିଷ୍ଣୁପ୍ରୀୟାଙ୍କୁ ଆଜବେଷ୍ଟସ ଘର ଖଣ୍ଡିଏ ମିଳିଥିଲା, ମରାମତି ଅଭାବରୁ ତାହା ଜରାଜିର୍ଣ୍ଣ ଅବସ୍ଥାରେ ରହିଛି, ଭୟରେ ତା ଭିତରେ କେହି ରହୁନାହାନ୍ତି । ଏଭଳି ସ୍ଥିତିରେ ଆବାସ ଖଣ୍ଡିଏ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା କହିଛନ୍ତି ହରପ୍ରୀୟା ।

ବେଣାପୁରା ଗାଁଟି ସୁବର୍ଣ୍ଣରେଖା ନଦୀ ନିକଟରେ ଥିବାରୁ ବନ୍ୟା ହେଲେ ଗାଁ ଭିତରେ ପଣି ପଶେ । ହରପ୍ରୀୟାଙ୍କ ଘର ସମ୍ନା ଦେଇ ବନ୍ୟା ଜଳ ପ୍ରବାହିତ ହୁଏ । ବର୍ଷା ଦିନରେ ଚୁଲିରୁ ପାଣି ବାହାରୁଥିବାରୁ ରୋଷେଇ ବନ୍ଦ କରିବାକୁ ପଡେ । ତେଣୁ ଘର ଖଣ୍ଡିଏ ପାଇଁ ୧୦ ବର୍ଷରୁ ଅଧିକ ସମୟ ଧରି ଗୁହାରି କରି ଆସୁଛନ୍ତି ଅସହାୟ ପରିବାର । ଗତ ପଂଚାୟତ ନିର୍ବାଚନ ସମୟରେ ସ୍ଥାନୀୟ ସରପଂଚ ଆସି ଘର ପାଇଁ ପ୍ରତିଶୃତି ଦେଇଥିଲେ ମାତ୍ର ନିର୍ବାଚନ ପରେ କାହାରି ଦେଖା ମିଳୁନାହିଁ,କି ଗୁହାରି କଲେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ବର୍ଷା ଦିନ ଆସୁଥିବାରୁ ଅସହାୟ ହରପ୍ରୀୟାଙ୍କ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ନିବେଦନ ପରିଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକେ