ମୁମ୍ବାଇ ସିଏସଟି ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ୬ଜଣଙ୍କ ମୃତ୍ୟୁ । ୩୫ରୁ ଅଧିକ ଗୁରୁତର, ବିଏମସି ଓ ରେଳବାଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇରେ ଫୁଟ ଓଭର ବ୍ରିଜ୍ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି ।

112

କନକ ବ୍ୟୁରୋ : ମୁମ୍ବାଇରେ ଫୁଟ ଓଭର ବ୍ରିଜ୍ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଛତ୍ରପତି ଶିବାଜୀ ଟର୍ମିନସ ନିକଟ ଫୁଟଓଭର ବ୍ରିଜ୍ ଗତକାଲି ସଂଧ୍ୟାରେ ଭୁଶୁଡିବା ଫଳରେ ବର୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ୩୦ ରୁ ଅଧିକ ଆହତ ହୋଇଛନ୍ତିି । ଘଟଣାରେ ବିଏମସି ଅଧିକାରୀ ଓ ରେଳ ବିଭାଗ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ସମସ୍ତ ଆହତଙ୍କୁ ସେଂଟ ଜର୍ଜ ଓ ଜିଟି ହସ୍ପିଟାଲରେ ଭର୍ତି କରାଯାଇଛି । ଫୁଟଓଭର ବ୍ରିଜର ଏକ ଅଂଶ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହି ବ୍ରିିଜ୍ ଆଜାଦ୍ ମୈଦାନକୁ ସିଏସଟି ଷ୍ଟେସନ ସହ ଯୋଡିଥାଏ । ଏହି ପୋଲର ଉଚ୍ଚତା ୩୫ ଫୁଟ୍ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ଘଟଣା ସମୟରେ ପୋଲ ତଳେ କିଛି ଲୋକ ଏବଂ ଗାଡି ରହିଯାଇଥିଲେ । ଦୁର୍ଘଟଣା ସ୍ଥଳରେ ବିଳମ୍ୱିତ ରାତି ଯାଏଁ ବିଏମସି ସହାୟତାରେ ଚାଲିଥିଲା ଉଦ୍ଧାରକାର୍ଯ୍ୟ । ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ନିଜେ ଫଡନବିସ ଦୁର୍ଘଟଣା ସ୍ଥଳ ବୁଲି ଦେଖିବା ସହିତ ଡାକ୍ତରଖାନାରେ ଆହତଙ୍କୁ ଭେଟି, ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ତେବେ ମୁମ୍ବାଇରେ ବାରମ୍ବାର ଫୁଟଓଭର ବ୍ରିଜ୍ ଦୁର୍ଘଟଣା ଘଟିବା ରେଳ ବିଭାଗର ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ୨୦୧୭ ର ଦୁର୍ଘଟଣା ପରେ କୁହାଯାଉଥିଲା ମୁମ୍ବାଇର ସମସ୍ତ ଫୁଟଓଭର ବ୍ରିଜର ସୁରକ୍ଷାକୁ ଯାଂଚ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହା ପରେ ବି ସିଏସଟି ଫୁଟ ଓଭର ବ୍ରିଜରେ ଦୁର୍ଘଟଣା ଘଟିଛି ।