ନିତୀଶଙ୍କୁ ବିଜେପି ଦେଲା ଝଟକ। । ୬ ଜେଡିୟୁ ବିଧାୟକ ବିଜେପି ସାମିଲ । ସଂଖ୍ୟା ବଢାଇବାକୁ କିଛି ବି କରିପାରେ ବିଜେପି ।

799

କନକ ବ୍ୟୁରୋ : ସଂଯୁକ୍ତ ଜନତା ଦଳ ବା ଜେଡିୟୁ ମୁଖ୍ୟ ନିତୀଶ କୁମାରଙ୍କୁ ବଡ ଝଟକା ଦେଇଛି ବିଜେପି । ବିହାରରେ ମିଳିତ ଭାବେ ସରକାର ଗଠନ କରିଥିବା ବିଜେପି ଏବେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିଛି । ସେଠାରେ ନିତୀଶ କୂୁମାରଙ୍କ ଜେଡିୟୁ ମୋଟ ୭ ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ ।

ଏହି ଖବର ସେତେବେଳେ ଆସିଛି ଯେତେବେଳେ ଆସନ୍ତା ଶନିବାର ଦିନ ବିହାରର ପାଟନା ଠାରେ ଜେଡିୟୁ ପକ୍ଷରୁ ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ପ୍ରସ୍ତୁତ ଚାଲିଛି । ଏହାରି ମଧ୍ୟରେ ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଏପଟେ ଦଳ ପକ୍ଷରୁ ରାଷ୍ଟ୍ରୀୟ ପରିଷଦ ବୈଠକ ନେଇ ସେହି ଜଣ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ଓ ଦଳ ତାଙ୍କ ପାଇଁ ବିହାରରେ ହୋଟେଲ ବି ବୁକିଂ କରିସାରିଥିଲା । ହେଲେ ଏହି ସମୟରେ ବିଜେପି ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିନେଲା  । ଏହା କରି ନିତୀଶକୁ ବିଜେପି ସନ୍ଦେସ ଦେଲା କି ଯେତେବେଳେ ଦଳର ବିଧାୟକ ସଂଖ୍ୟା ବଢାଇବାକୁ ଅନ୍ୟଦଳରୁ ବିଧାୟକଙ୍କୁ ଦଳରେ ସାମିଲ କରାଯାଉଛି ସେତେବେଳେ ସହଯୋଗୀ ଓ ବିରୋଧୀ ଦଳ ଭିତରେ କିଛି ଫରକ ନାହିଁ ।

ଏନେଇ ଜେଡିୟୁ ତରଫରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ କିଛି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ କିଛି ଜେଡିୟୁ ନେତା କହିଛନ୍ତି କି ଏଭଳି କରିବା ଦ୍ୱାରା ବିଜେପି ଓ ଜେଡିୟୁ ମଧ୍ୟରେ ସଂପର୍କ ଖରାପ ହେବ । ଏହା କୌଣସି ଦିଗରୁ ଶୁଭ ସଂକେତ ନୁହେଁ ବୋଲି ଜେଡିୟୁ ନେତା କହିଛନ୍ତି । ଅରୁଣାଚଳ ପୂର୍ବରୁ ନାଗାଲାଣ୍ଡରେ ଜେଡିୟୁର ଥିବା ଗୋଟିଏ ମାତ୍ର ବିଧାୟକଙ୍କୁ ବି ସେଠିକାର ମୁଖ୍ୟମନ୍ତ୍ରୀ ନିଜ ଦଳରେ ସାମିଲ କରିନେଇଛନ୍ତି ।

ବିହାର ନିର୍ବାଚନ ପରେ ବିଜେପି ଓ ଜେଡିୟୁ ମେଣ୍ଟରେ କିଛି ପରିବର୍ତ୍ତନ ହେଉଥିବା ଭଳି ମନେ ହେଉଛି । ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ବିହାର ନିର୍ବାଚନରେ ବିଜେପି ଜେଡିୟୁ ଠାରୁ ଅଧିକ ଆସନ ହାସଲ କରିଥିଲା । ହେଲେ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା କି ନିତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ । ତେଣୁ ବିଜେପି ଅଧିକ ଆସନ ପାଇଥିଲେ ବି ନିତୀଶଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲା । ହେଲେ ଏବେ ଏହି ମେଣ୍ଟରେ ଏବେ ବିଜେପିର ପ୍ରଭାବ ବେଶି ରହିଥିବା ଭଳି ମନେ ହେଉଛି । ଏବେ ଦେଖିବାକୁ ବାକି ରହିଲା କି ଅରୁଣାଚଳ ପ୍ରଦେଶରେ ବିଜେପି ଏଭଳି କରିବା ପରେ ବିହାରରେ ତା’ର ପ୍ରଭାବ କିଭଳି ପଡୁଛି ।