ପୁଣି ବାଣ ବିସ୍ଫୋରଣ ! ବାଲେଶ୍ୱର କୁରାଢିଆ ପଂଚାୟତର ସାନଧନାଡି ଗାଁରେ ବାଣ ଫୁଟି ୭ ଗୁରୁତର

32

କନକ ବ୍ୟୁରୋ: ପୁଣି ବାଣ ବିସ୍ଫୋରଣ । ବାଲେଶ୍ୱରର କୁରାଢିଆ ପଂଚାୟତ ସାନଧନାଡିରେ ବାଣ ବିସ୍ପୋରଣ ହୋଇଛି । ଏଥିରେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଛୋଟ ପିଲା ବୋଲି ଜଣାପଡିଛି । ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାରଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ ଘଟି ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଦିପାବଳୀ ପୂର୍ବରୁ ରାଜ୍ୟରେ ଘଟିଥିଲା ବଡ ଧରଣର ଅଘଟଣ । ବିସ୍ଫୋରଣରେ ବାଲେଶ୍ୱରରେ ଉଡିଯାଇଥିଲା ଏକ ବାଣ ଫ୍ୟାକଟ୍ରୀ । ଦୁର୍ଘଟଣାରେ ଚାଲି ଯାଇଥିଲା ୧୨ ଜୀବନ ।

ସୁଚନା ଅନୁସାରେ, ବୁଧବାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାବଲପୁର ଗାଁରେ ବାଣ ତିଅରି ବେଳେ ବିସ୍ଫୋରଣ ଘଟିଥିଲା । ଗ୍ରାମର ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଥିବା ଲାଇସେନସ ପ୍ରାପ୍ତ ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । କୁହାଯାଉଛି, ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଥିଲା । ଫଳରେ କାମ କରୁଥିବା ଶ୍ରମିକ କେହି ବାହାରକୁ ବାହାରି ପାରିନଥିଲେ । ସୂଚନା ମିଳିବା ପରେ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା । ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ନିଆଁକୁ ଆୟତ କରିବାକୁ ଦମକଳବାହିନୀ ନାକେଦମ ହୋଇଥିଲେ । ସେପଟେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଦିପାବଳୀ ପୂର୍ବରୁ ଅନେକ କ୍ଷୟକ୍ଷତି ଘଟିଥିଲା । ମଙ୍ଗଳବାର ରାତିରେ ରାଉରକେଲା ପାୱାରହାଉସ ସ୍ଥିତ ବାଣବଜାରରେ ନିଆଁ ଲାଗିଯିବାରୁ ଘଟଣସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ବହୁ ଲୋକ ଆହତ ହୋଇଥିଲେ । ୨ କୋଟିରୁ ଅଧିକ ମୁଲ୍ୟର ବାଣ ମଧ୍ୟ ନଷ୍ଟ ହୋଇଯାଇଥିଲା । ସେହିଭଳି ପୁରୀ ଅନ୍ତର୍ଗତ ପିପିଲିରେ ବୁଧବାର ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ ।