ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ୬ ଘଣ୍ଟିଆ ହରତାଳ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭାବ । ବର୍ଷାରେ ଭିଜି ଧାରଣା ଦେଲେ କଂଗ୍ରେସ କର୍ମୀ

ବାଣିବିହାରରେ ଲୋକଙ୍କୁ ଚକଲେଟ ବାଂଟି ଶାନ୍ତିପୂର୍ଣ୍ଣ ହରତାଳ ପାଳନ

123

କନକ ବ୍ୟୁରୋ : ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ୬ ଘଂଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ କରୁଛି ହରତାଳ । ସୁର ରାଉତରାୟଙ୍କ ସହ କଂଗ୍ରେସକର୍ମୀ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ କରୁଛନ୍ତି ।

ଛାତ୍ର କଂଗ୍ରେସ ପକ୍ଷରୁ ହାତରେ ପ୍ଲାକାଡ ଧରି ମନ୍ତ୍ରୀ ବହିଷ୍କାର ଓ ଗିରଫ ଦାବି କରି ପ୍ରତିବାଦ କରାଯାଉଛି । ଧାରଣାରେ ସାମିଲ ଅଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ବର୍ଷାରେ ଭିଜି ଧାରଣା ଦେଉଛନ୍ତି କଂଗ୍ରେସ କର୍ମୀ । ବାଣିବିହାରରେ ଲୋକଙ୍କୁ ଚକଲେଟ ବାଂଟି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହେଉଉି । ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ମାଷ୍ଟରକ୍ୟାଂଟିନ ଛକରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

କଂଗ୍ରେସ ପକ୍ଷରୁ କରାଯାଉଥିବା ହରତାଳର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ିଛି । ବରଗଡ଼ରେ କଂଗ୍ରେସ କର୍ମୀ ରାସ୍ତାରେ ଟାୟାର ଜାଳୁଥିବାର ଦେଖିବାକୁ ମିଳିଛି । କଳାହାଣ୍ଡିରେ ମଧ୍ୟ କଂଗ୍ରେସ ପକ୍ଷରୁ ହରତାଳ କରାଯାଉଛି । କଂଗ୍ରେସ କର୍ମୀମାନେ ସହରରେ ବୁଲି ବୁଲି ପ୍ରତିବାଦ ଜଣାଉଛନ୍ତି । କୋରାପୁଟରେ କଂଗ୍ରେସ କର୍ମୀ ଏକାଠି ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ପାରଳାଖେମୁଣ୍ଡି ହରତାଳ ଯୋଗୁ ରାସ୍ତା ଘାଟ ଖାଁ ଖାଁ ରହିଛି । ପୋଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସେପଟେ, ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ପାଳନ କରାଯାଉଛି । ହାତରେ ପ୍ଲାକାଡ ଧରି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । ସେହିପରି ନବରଙ୍ଗପୁରରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ନୂଆପଡ଼ା, ପଦ୍ମପୁର, ଫୁଲବାଣୀ, ରାୟଗଡ଼ାରେ ମଧ୍ୟ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଧାରଣା ଦେଇଛି କଂଗ୍ରେସ ।

ବନ୍ଦ ନୁହେଁ ହରତାଳ କରିବାକୁ ହାଇକୋର୍ଟ ରାୟ ଦେବା ପରେ ପୂର୍ବ ନିର୍ଦ୍ଧାରିତ ବନ୍ଦ ପାଳନରୁ ଓହରିଛି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି କହିଛନ୍ତି, ବନ୍ଦ ପାଳନ ବଦଳରେ ଶୁକ୍ରବାର ସକାଳ ୧୦ଟା ୩୦ରେ ମମିତାଙ୍କୁ ନ୍ୟାୟ ପାଇଁ ୩ ଦଫା ଦାବି ନେଇ ଶୋଭାଯାତ୍ରା ବାହାରିବ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତୀକାତ୍ମକ ବିକ୍ଷୋଭ ଓ ହରତାଳ ପ୍ରଦର୍ଶନ କରାଯିବ ।