ମହାନଦୀ ଉପରମୁଣ୍ଡରେ ବର୍ଷା, ଖୋଲିଲା ହୀରାକୁଦର ୬ ଗେଟ୍ । ଆଉ ଏକ ଲଘୁଚାପ ଆସୁଥିବାରୁ ବଢିଲା ବନ୍ୟା ଚିନ୍ତା ।

226

କନକ ବ୍ୟୁରୋ: ମହାନଦୀ ଉପର ମୁଣ୍ଡରେ ବର୍ଷା ପରେ ଖୋଲିଛି ହୀରାକୁଦ ଗେଟ୍ । ଅପରାହ୍ନ ୫ଟାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଗେଟ୍ ଖୋଲାଯାଇଛି । ଆଉ ଅନ୍ୟପଟେ ଆଜି ଅପରାହ୍ମ ସୁଦ୍ଧା ଗଭୀର ଅବପାତଟି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଏହା ଉତ୍ତର ଛତିଶଗଡ ଏବଂ ନିକଟବର୍ତ୍ତୀ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ଅତିକ୍ରମ କରି କ୍ରମଶଃ ଦୁର୍ବଳ ହେଉଛି । ତେଣୁ ଓଡିଶାରେ ବର୍ଷାର ପରିମାଣ କମିବା ସହ ଛତିଶଗଡରେ ମହାନଦୀ ଉପରମୁଣ୍ଡରେ ବର୍ଷା ଲାଗିରହିଛି ।

ଅପରାହ୍ନ ୩ଟା ସୁଦ୍ଧା ନରାଜଠାରେ ମହାନଦୀର ଜଳସ୍ତର ୨୪. ୬୨ ମିଟର ଏବଂ ଆଳିପିଙ୍ଗଳଠାରେ ୪.୨୬ ମିଟର ରହିଛି । ତେବେ ନରାଜରେ ମହାନଦୀର ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ଆଳିପିଙ୍ଗଳରେ ବିପଦ ସଙ୍କେତ ରହିଛି ୧୧.୭୬ ମିଟର । ଅନ୍ୟ ପକ୍ଷରେ ହୀରାକୁଦରୁ ଛଡା ଯାଇଥିବା ବନ୍ୟାଜଳ କଟକର ମୁଣ୍ଡଳୀରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ । ତେଣୁ ମହାନଦୀ ଉପରେ ସତର୍କ ନଜର ରଖାଯାଇଥିବା କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।

ତେବେ ମହାନଦୀରେ ବନ୍ୟା ସମ୍ଭାବନା କମ୍ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଏସଆରସି । ସେ କହିଛନ୍ତି, ରାଜ୍ୟରେ ସେପ୍ଟେମ୍ବରରେ ୧୫୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡିଦେଲେ ବାକିସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅସ୍ତରଙ୍ଗ, କାକଟପୁର , ବୀର ମହାରାଜପୁରରେ ୫ ଶହ ମିଲିମିଟର ବର୍ଷା ହୋଇଛି । ୬ଟି ବ୍ଲକରେ ୪ ଶହ ମିଲିମିଟର ବର୍ଷା ହୋଇଥିବାବେଳେ ୫୬ଟି ବ୍ଲକରେ ୨ଶହରୁ ୩ଶହ ମିଲିମିଟର ବର୍ଷା ହୋଇଛି । ମଥାନିଠାରେ ଜଳକା ଓ ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ତେବେ ବର୍ତ୍ତମାନ ବନ୍ୟା ଆଶଙ୍କା ନଥିବା କହିଛନ୍ତି ସରକାର । ହେଲେ ଛତିଶଗଡ ଉପରେ ଥିବା ଅବପାତଟି ଧୀରେଧୀରେ ଲଘୁଚାପରେ ପରିଣତ ହେବା ସହ ଆଗାମୀକାଲି ଯାଏଁ ମହାନଦୀ ଉପରମୁଣ୍ଡରେ ବର୍ଷା କରାଇବ । ଯାହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କାକୁ ଏଡାଇ ହେବନାହିଁ । ଏପଟେ ଉତ୍ତର-ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା କହିଛି ପାଣିପାଗ ବିଭାଗ । ଯାହା ୧୯ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ । ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ କିଭଳି ରହିବ ଜଣାପଡିନଥିଲେ ମଧ୍ୟ ଆଗକୁ ସତର୍କ ରହିବାକୁ ପଡିବ ବୋଲି ଅନୁମାନ କରାଯାଉଛି ।