କନକ ବ୍ୟୁରୋ : ବାହୁଡ଼ା ଯାତ୍ରା ବେଳେ ତ୍ରିପୁରାରେ ଅଘଟଣ । ରାଜ୍ୟର ଉନାକୋଟି ଜିଲ୍ଲାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ରଥରେ ବିଦ୍ୟୁତ ତାର ଲାଗିବାରୁ ବିଦ୍ୟୁତ ଆଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।

Advertisment

ପୁଲିସ ସୂଚନା ଅନୁଯାୟୀ, ରଥଟି ଲୁହାରେ ନିର୍ମିତ ଥିଲା ଏବଂ ବହୁତ ସଜେଇ ଦିଆଯାଇଥିଲା । ବାହୁଡ଼ା ଯାତ୍ରା ସମୟରେ ରଥଟି ଓଭରହେଡ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥରେ ବିଦ୍ୟୁତ୍ ପ୍ରଭାବିତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁ ଅଛନ୍ତି । ଏହି ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଫଳରେ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ରଥ କିପରି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ତାହା ଜାଣିବାକୁ ଚେଷ୍ଟା ଚଳାଇଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଆହତଙ୍କ ପାଇଁ ୫୦ ହଜାର ଓ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଂକାର ସହାୟତା ଘୋଷଣା କରିଛନ୍ତି ।