କନକ ବ୍ୟୁରୋ : କରୋନା ସଂକ୍ରମଣ ସାଂଘାତିକ ହେଉଥିବା ବେଳେ ଦିଲ୍ଲୀରେ ୬ ଦିନିଆ ଲକଡାଉନ ଘୋଷଣା କରିବାକୁ ନିଷ୍ପତି ନେଇଛନ୍ତି କେଜ୍ରିୱାଲ ସରକାର । ଉପରାଜ୍ୟପାଳଙ୍କ  ସହ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ରାତି ୧୦ଟାରୁ ୨୬ ଏପ୍ରିଲ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଆଉ ଏହି ସମୟରେ ଜନସାଧାରଣଙ୍କ ଯାତାୟତ ସହ ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଯାଇଛି ।

Advertisment

ସାମ୍ବାଦିକ ସମ୍ମିଳନୀରେ ଲକଡାଉନ ଘୋଷଣା କରିବା ସହ କେଜ୍ରିୱାଲ କହିଛନ୍ତି, ଏଥିପାଇଁ ଦିଲ୍ଲୀବାସୀଙ୍କ ସହଯୋଗ ଆବଶ୍ୟକ । ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ ହେବା କାରଣରୁ ଏଭଳି ପଦକ୍ଷେପ ନେବାକୁ ସରକାର ବାଧ୍ୟ ହୋଇଛନ୍ତି । ଏବେ ଦିଲ୍ଲୀରେ ଅଧିକ ସଂଖ୍ୟକ ଟେଷ୍ଟ କରାଯାଉଛି । ଏବେ ସଂକ୍ରମଣ ଯେଉଁଭଳି ଭାବେ ବଢୁଛି ଯଦି ଲକଡାଉନ କରାନଯାଏ ତେବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଷୁଡିଯିବ । ତେଣୁ ଲକଡାଉନ ସମୟରେ ଅସ୍ଥାୟୀ ହସ୍ପିଟାଲ ଓ ବେଡ ସଂଖ୍ୟା ବୃଦ୍ଧି କରାଯିବ ।

ଲକଡାଉନ ସମୟରେ ସମସ୍ତ ପ୍ରକାର ଜରୁରୀ ସେବା ଜାରି ରହିବ । କିନ୍ତୁ ସମସ୍ତ ମଲ, ଜିମ୍,ସ୍ପା, ଅଡିଟୋରିୟମ, ପାର୍କ ବନ୍ଦ ରହିବ । କିନ୍ତୁ ହୋଟେଲରେ ଖାଇବା ଉପରେ ରୋକ ଲାଗିଥିବା ବେଳେ ହୋମ ଡେଲିଭରିକୁ ଅନୁମତି ମିଳିଛି । ଏହାବାଦ୍ ଜରୁରୀ ସେବା ସହ ଜଡିତ କର୍ମଚାରୀଙ୍କ ଉପରେ କଟକଣା ରହିବ ନାହିଁ । ସମସ୍ତ ସରକାରୀ ଅଫିସ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ଏବଂ ବେସରକାରୀ ସଂସ୍ଥା ୱାର୍କ ଫର୍ମ ହୋମ ଯୋଗେ କାର୍ଯ୍ୟ କରିବେ । ରେଳଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନବନ୍ଦର ଯାଉଥିବା ଲୋକଙ୍କ ଉପରେ କୌଣସି କଟକଣା ରହିବନି । ତେବେ ଦିଲ୍ଲୀ ନ ଛାଡିବାକୁ ଲୋକଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ ।