ଜନ୍ମ ନେବା ଆଗରୁ ଜୀବନ ନେଇଗଲା ସମୁଦ୍ରର ଉଚ୍ଚ ଜୁଆର ! ୬ କୋଟି ଅଲିଭ ରିଡ଼ଲେ ଶାବକ ନଷ୍ଟ

70

କନକ ବ୍ୟୁରୋ : ଜୁଆର ମାଡ଼ର ପ୍ରଭାବରେ ନଷ୍ଟ ହୋଇଗଲେ ୬ କୋଟି ଅଲିଭ ରିଡ଼ଲେ କଇଁଛ ଶାବକ । ଅଲିଭ ରିଡ଼ଲେ କଇଁଛଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ପ୍ରତିବର୍ଷ ଯେତିକି କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବୋଲି କୁହାଯାଉଛି ତାହାର ମାତ୍ର ୨ରୁ ୩ ପ୍ରତିଶତ କଇଁଛ ଶାବକ ବାହାରିଛନ୍ତି । କାରଣ ଚଳିତବର୍ଷ ୬ ଲକ୍ଷ ୩୬ ହଜାର କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ପ୍ରତ୍ୟେକ କଇଁଛ ୧୦୦ରୁ ୧୨୦ ଅଣ୍ଡା ଦେଇଥିଲେ । ଏହି ହିସାବରେ ୬ କୋଟି ୩୬ ଲକ୍ଷ ଅଲିଭ୍ ରିଡଲେ ଶାବକ ଜନ୍ମ ହେବା କଥା । କିନ୍ତୁ ଜନ୍ମ ନେଇଛନ୍ତି ମାତ୍ର ୩୫ ଲକ୍ଷ କଇଁଛ ଛୁଆ । ଏହି ହିସାବରେ ଦେଖିବାକୁ ଗଲେ ୯୮ ପ୍ରତିଶତରୁ ଅଧିକ ଅଲିଭ ରିଡ଼ଲେ କଇଁଛ ଶାବକ ନଷ୍ଟ ହୋଇ ଯାଇଛି ।

ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରୁ ୧୨ ତାରିଖ ମଧ୍ୟରେ ଗହୀରମଥାର ନାସି-୨ରେ ୬ ଲକ୍ଷ ୩୬ ହଜାର ଅଲିଭ ରିଡ଼ଲେ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ପ୍ରତିଟି କଇଁଛ ପାଖାପାଖି ୧୦୦ରୁ ୧୨୦ ଅଣ୍ଡା ଦେଇଥିଲେ । ତେବେ ଅଣ୍ଡାଦାନର ୪୦ରୁ ୪୫ ଦିନ ପରେ ଏପ୍ରିଲ ୨୩ ତାରିଖରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକିୟା ଆରମ୍ଭ ହୋଇଥିଲା । ତେବେ ୨୨ରୁ ୨୪ ତାରିଖ ମଧ୍ୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରୁ କୂଳକୁ ପାଣି ମାଡ଼ି ଆସିଥିଲା । ଏହାର ପ୍ରଭାବରେ ଅଣ୍ଡା ଉପରେ ବାଲିର ମୋଟା ଆସ୍ତରଣ ଛାଇ ହୋଇ ଯାଇଥିଲା । ଫଳରେ ଅଣ୍ଡାରୁ ଛୁଆ ଫୁଟିଥିଲେ ମଧ୍ୟ ମୋଟା ବାଲିଚାଦରର ଭେଦ ନକରି ପାରି ସମାଧି ନେଇଥିବା କୁହାଯାଉଛି ।

ଏତେ ସଂଖ୍ୟକ ଅଲିଭ ରିଡ଼ଲେ ଅଣ୍ଡା ନଷ୍ଟ ହେବା ପଛର ଆଉ ଏକ କାରଣ ମଧ୍ୟ ରହିଛି । ବନବିଭାଗର କହିବା ମୁତାବିକ ଚଳିତ ବର୍ଷ କଇଁଛ ମାନେ ନାଶି-୨ରେ ଅଣ୍ଡାଦାନ କରିଥିଲେ । ତେବେ ନାଶି-୨ ସ୍ଥାନଟି ମାତ୍ର ୧୮ ଶହ ମିଟର ବାଲିପଠାରେ ସୀମିତ । ଏତିକି ସ୍ଥାନ ମାତ୍ର ୧ ଲକ୍ଷରୁ ୧.୫ ଲକ୍ଷ କଇଁଛ ଅଣ୍ଡା ଦେବା ପାଇଁ ଉପଯୁକ୍ତ । କିନ୍ତୁ ୬ ଲକ୍ଷ ୩୬ ହଜାର କଇଁଛ ଏତେ ଛୋଟ ସ୍ଥାନରେ ଗାତ ଖୋଳି ଅଣ୍ଡା ଦେବା ଫଳରେ ଅଣ୍ଡାଦାନ ପ୍ରକ୍ରିୟା ସମୟରୁ ହିଁ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଇଥିଲା । ଏହାଛଡା ସମୁଦ୍ର ଜୁଆର ମାଡ଼ି ଆସିବା ଓ ତାପମାତ୍ରା ଯୋଗୁଁ କିଛି ଅଣ୍ଡା ନଷ୍ଟ ହୋଇଥିଲା । ତେବେ ପ୍ରତିବର୍ଷ କଇଁଛ ଶାବକଙ୍କ ସଂଖ୍ୟା ହ୍ରାସ ପାଇବା ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।