ଦିଲ୍ଲୀ ପରେ ପଞ୍ଜାବରୁ ଆସିଲା କରୁଣ ଚିତ୍ର, ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ କରୋନା ରୋଗୀ ମୃତ , ସଂପର୍କୀୟଙ୍କ ହଙ୍ଗାମା

142

କନକ ବ୍ୟୁରୋ : ରୋଗ ଉପରେ ଭାରି ପଡୁଛି ଚିକିତ୍ସା । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ମୁଖ୍ୟ ଅକ୍ସିଜେନର ଅଭାବ ଏବେ ରାଜ୍ୟ ପରେ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ରମିତ ଜୀବନ ହରାଇଥିବା ଜଣାପଡିଛି । ମୃତ୍ୟୁର ସୂଚନା ପାଇବାରେ ମୃତକଙ୍କର ପରିବାର ଲୋକମାନେ ମେଡିକାଲ ବାହାରେ ହୋ ହାଲ୍ଲା କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ମେଡିକାଲରେ ଆଡମିସନ ହେବା ପୂର୍ବରୁ ମେଡିକାଲ ତରଫରୁ ଏକ ଚୁକ୍ତି କରାଯାଉଛି । ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଲେ ମେଡିକାଲ କତ୍ତୃପକ୍ଷ ଦାୟି ରହିବେ ନାହିଁ ବୋଲି ଚୁକ୍ତି କରିବା ପରେ ଆଡମିଶନ ହେଉଛି ।

ପରିଜନଙ୍କର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ଅଧିକାରୀ ମୃତକଙ୍କ ପରିବାରକୁ ଯାଂଚ କରାଯିବ ବୋଲି ଆଶ୍ୱସନା ଦିଆଯାଇଛି । ସେପଟେ ଏହି ଘଟଣା ପରେ ପ୍ରଶାସନ ଓ ହସ୍ପିଟାଲ କତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ନୀଳକଣ୍ଠ ହସ୍ପିଟାଲର ଏମଡି ସୁନୀଲ ଦେବଗନ ଅଭିଯୋଗ କରିଛନ୍ତି କି ପ୍ରଶାସନ ପକ୍ଷରୁ ଅକ୍ସିଜେନ ଯୋଗାଣରେ ପାତର ଅନ୍ତର କରାଯାଉଛି । ପ୍ରଶାସନ ସରକାରୀ ହସ୍ପିଟାଲକୁ ଅଧିକ ଅକ୍ସିଜେନ ଯୋଗାଣ କରୁଥିବା ବେଳେ ଘରୋଇ ହସ୍ପିଟାଲକୁ ସେହି ଅନୁପାତରେ ଅକ୍ସିଜେନ ଯୋଗାଇ ଦେଉ ନାହାନ୍ତି ।