ଭାରତରେ ପଂହଚିଲା କରୋନାର ନୂଆ ଷ୍ଟ୍ରେନ : ବ୍ରିଟେନ ଫେରନ୍ତା ୬ ଜଣ ପଜିଟିଭ ଚିହ୍ନଟ;ଆଲର୍ଟରେ ସରକାର, ପରିସ୍ଥିତି ଉପରେ ନଜର

219

କନକ ବ୍ୟୁରୋ : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ କରୋନାର ନୂଆ ଷ୍ଟ୍ରେନ୍ର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ୟୁକେରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇ କରୋନା ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧୪ଜଣଙ୍କ ଦେହରେ କରୋନା ପଜିଟିଭ୍ ମିଳିଛି । ଏହାପରେ ସମସ୍ତ ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା ।

ଏମାନଙ୍କ ଭିତରୁ ୬ଜଣଙ୍କ ସାମ୍ପୁଲରୁ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ସମସ୍ତ ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସେଲଫ ଆଇସୋଲେସନ୍ରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଂଟିନ୍ରେ ରଖାଯାଇଛି । ଏହା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଂଚ କରାଯାଇଛି । ସୁଚନା ଅନୁସାରେ ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକ ମାନେ ଖୁବ୍ ସତର୍କତା ସହ ରହିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ଡ଼ିସେମ୍ବର ୨୩ ତାରିଖରୁ ୩୧ ତାରିଖ ଭିତରେ ୟୁକେରୁ ଆସିଥିବା ସମସ୍ତ ବିମାନ ଉପରେ ରୋକ ଲଗାଯାଇଛି ।

ୟୁକେରୁ ଫେରିଥିବା ଲୋକଙ୍କର ଆରଟି-ପିସିଆର ଟେଷ୍ଟ କରାଯାଉଛି । କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ନ୍ୟାସନାଲ ଟାସ୍କ ଫୋର୍ସ ପକ୍ଷରୁ ଏକ ବଡ଼ ବୈଠକ ପାଇଁ ପ୍ରସ୍ତୁତି କରାଯାଉଛି । ପ୍ରଥମେ ବ୍ରିଟେନରୁ ନୂଆ ଷ୍ଟ୍ରେନର ଆରମ୍ଭ ହୋଇଥିଲା । ଏହାପରେ ୟୁରୋପ ସମେତ ଅନେକ ଦେଶରେ ଏହା ବ୍ୟାପିବାରେ ଲାଗିଲାଣି । ବର୍ତମାନ ସୁଦ୍ଧା ଡ଼େନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡ଼ିନୀ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବନାନ, ସିଙ୍ଗାପୁରରେ କରୋନାର ନୂଆ ଷ୍ଟ୍ରେନ୍ ବ୍ୟାପିଲାଣି ।