ମାୟାବତୀଙ୍କ ଠାରୁ ମୋହଭଙ୍ଗ, ହାତୀ ଛାଡି ସାଇକେଲ ଚଢିଲେ ୬ ବିଧାୟକ, ଜଣେ ବିଜେପି ବିଧାୟକ ବି ଧରିଲେ ଅଖିଳେଶଙ୍କ ହାତ

103

କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିରେ ସମାଜବାଦୀ ପାର୍ଟି ବିଏସପି ଓ ବିଜେପିକୁ ଜୋରଦାର ଝଟକା ଦେଇଛି । ବିଏସପିର ୬ ଜଣ ନିଲମ୍ବିତ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ୭ ଜଣ ଯାକ ବିଧାୟକ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଏସପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ଅଖିଳେଶ କହିଛନ୍ତି କି ବିଜେପି ବିରୋଧରେ ଜନ ଅସନ୍ତୋଷର ଏହା ହେଉଛି ପ୍ରତିଫଳନ । ଆଗାମୀ ଦିନରେ ବିଜେପି ସଫା ହୋଇଯିବ ବୋଲି ଅଖିଳେଶ ଦାବି କରିଛନ୍ତି ।

ଅଖିଳେଶ ଯୋଗୀଙ୍କୁ ଟାର୍ଗେଟ କରି କହିଛନ୍ତି କି ମୁଖ୍ୟମନ୍ତ୍ରୀ କହିଥିଲେ ଛାନ୍ସି ଓ ମଥୁରାରେ ମେଟ୍ରୋ ନିର୍ମାଣ ହେବ, କିନ୍ତୁ ତାହା ହୋଇନାହିଁ । କେବଳ ସମାଜବାଦୀ ସରକାର ସମୟରେ ଯେଉଁଠି ମେଟ୍ରୋ ନେଇ ଯୋଜନା ପାରିତ ହୋଇଥିଲା କେବଳ ସେହି ସହର ମାନଙ୍କରେ ଏବେ ମେଟ୍ରୋ ନିର୍ମାଣ କାର୍ଯ୍ୟ ଚାଲୁ ରହଛି ।

ଆଜି ଅଖିଳେଶଙ୍କ ସାଇକେଲ ଚଢିଥିବା ବିଧାୟକମାନେ ହେଲେ ଅସଲମ ରାହାନୀ, ଅସଲମ ଅଲ୍ଲୀ ଚୌଧୁରୀ, ମୁଜତବା ସିଦ୍ଦିକ୍, ହାକିମ୍ ଲାଲ ବିନ୍ଦ, ହରଗୋବିନ୍ଦ ଭାର୍ଗବ, ସୁଷମା ପଟେଲ ଓ ବିଜେପି ବିଧାୟକ ରାକେଶ ଠାକୁର ।

ଏହି ମିଶ୍ରଣ ପର୍ବରେ ଅଖିଳେଶ ଯୋଗ ଦେଇ କହିଛନ୍ତି କି ୨୦୧୭ ରେ ବିଜେପି ଯେଉଁ ଲୋକ କଲ୍ୟାଣ ସଂପର୍କ ପତ୍ର ପ୍ରସ୍ତୁତ କରିଥିଲା ତାହା ନିର୍ବାଚନରେ ଅଳିଆକୁ ବିଜେପି ଫିଙ୍ଗି ଦେଇଛି । ଏନେଇ ଲୋକମାନେ ଯେତେ ଭରଶା ବିଜେପି ଉପରେ କରିଥିଲେ ବିଜେପି ଲୋକମାନଙ୍କୁ ସେତିକି ଧୋକ୍କା ଦେଇଛି ।