କେବେ ସରିବ ଦାଦନର ଦୁଃଖ? ରୋଜଗାର ଆଶାରେ ଯାଇ ବାହାର ରାଜ୍ୟରେ ନିର୍ଯାତନା ସହୁଛନ୍ତି କାହାର ପୁଅ ତ ଆଉ କାହାର ସ୍ୱାମୀ:: ପ୍ରତିଦିନ ଘରକୁ ଫୋନ ଯୋଗେ କହୁଛନ୍ତି ନିର୍ଯାତନାର କାହାଣୀ

364

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯାତନା ସହୁଛନ୍ତି କାହାର ପୁଅ ତ ଆଉ କାହାର ସ୍ୱାମୀ । ପ୍ରତିଦିନ ଘରକୁ ଫୋନ ଯୋଗେ ନିର୍ଯାତନାର କାହାଣୀ କହୁଛନ୍ତି । ଆଉ ବାଙ୍ଗାଲୁରୁରେ ଫସିଥିବା ୬ ଜଣ ଦାଦନକୁ ଘରକୁ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଦିବାସୀ ପରିବାର ।

ଏମାନେ ଦୁଇ ପଇସା ରୋଜଗାର ଆଶାରେ ରାଜ୍ୟ ବାହାରକୁ ଅର୍ଥାତ୍ ବାଙ୍ଗାଲୁରୁ ଯାଇଥିଲେ । ନବରଙ୍ଗପୁର ପିପଲପଦର ଗାଁର ଦଲାଲ ଘେନୁ ବିଶୋୟୀ ଜରିଗୁଡା, ରାଜପୁର, ବରିପଦର ଗାଁରୁ ୧୨ ଜଣ ଶ୍ରମିକଙ୍କୁ ବାଙ୍ଗାଲୁରୁ ନେଇଯାଇଥିଲା । ସେଠାରେ ପହଂଚିବା ପରେ ଶ୍ରମିକମାନେ ନର୍କ ଯନ୍ତ୍ରଣା ଭୋଗୁଥିବା  ପରିବାର ଲୋକଙ୍କୁ ଫୋନ ଯୋଗେ କହିଛନ୍ତି । ଦିନ ସାରା ମାଟି ଉଠା କାମ କରିବା ପରେ ଟଙ୍କା ମାଗିବା ବେଳକୁ ମାଡ ଗାଳି ଖାଇବାକୁ ପଡୁଛି । ଦଲାଲ ଘେନୁ ବିଶୋଇ ସେମାନଙ୍କ ଟଙ୍କା ଆଗୁଆ ଉଠାଇ ନେଇଥିବା ବେଳେ ଧମକ ଚମକ ଦେଉଛି । କୌଶଳ କ୍ରମେ ୬ ଜଣ ଦାଦନ ଦଲାଲ କବଳରୁ ଖସି ଆସିଥିବା ବେଳେ ଆହୁରୀ ୬ ଜଣ ସେଠାରେ ଫସି ରହିଛନ୍ତି । ତେଣୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ନବରଙ୍ଗପୁର ଥାନାରେ ଲିଖିତ ଭାବେ ଜଣାଇଛନ୍ତି ପରିବାର ଲୋକେ ।

ଶ୍ରମିକଙ୍କ ପରିବାର ଲୋକ ଆଦିବାସୀ ଓ ଅଶିକ୍ଷିତ ହୋଇଥିବା ବେଳେ ସେମାନେ ୭ ଦିନ ହେବ ଥାନାରେ ଏତଲା ଦେଇଛନ୍ତି । ହେଲେ ଏଯାଏଁ କୌଣସି ସହଯୋଗ ମିଳି ନାହିଁ ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ଦଲାଲ ପାଲରେ ଫସି ଯାଇଥିବା ଶ୍ରମିକଙ୍କ ପରିବାର ଲୋକ । ପ୍ରଶାସନ ଖୁବ୍ଶୀଘ୍ର ଏନେଇ ପଦକ୍ଷେପ ନେଇ ଶ୍ରମିକଙ୍କ ଉଦ୍ଧାର କରିବାକୁ ଦାବି ହୋଇଛି ।

ସେପଟେ ବାଙ୍ଗାଲୁରୁରେ ଫସି ରହିଥିବା ଦାଦନଙ୍କ ତ ସବୁ ଦିନ ଅକଥନୀୟ ନିର୍ଯାତନା ସହୁଛନ୍ତି , ଏପଟେ ତାଙ୍କ ପରିବାର ଲୋକମାନେ ପ୍ରିୟଜନଙ୍କୁ ନେଇ ପ୍ରତିଦିନ ଅଜଣା ଆଶଙ୍କାରେ ଦିନ କାଟୁଛନ୍ତି ।