ଓଜନ ହ୍ରାସ ଠାରୁ ରକ୍ତ ସଞ୍ଚାଳନ ପର୍ଯ୍ୟନ୍ତ , ଶୀତଦିନେ ଗରମ ପାଣି ପିଇବା ଦ୍ୱାରା ମିଳିଥାଏ ଏହିସବୁ ଲାଭ

543

କନକ ବ୍ୟୁରୋ : ଗ୍ରୀଷ୍ମଋତୁରେ ଶରୀରର ପାଚନ କ୍ରିୟାକୁ ସନ୍ତୁଳିତ ରଖିବାର ଉପାୟ ପ୍ରାୟ ସମସ୍ତଙ୍କୁ ଜଣାଅଛି । ହେଲେ ଆପଣ ଜାଣିଛନ୍ତି କି ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି ସମସ୍ୟାକୁ ସମାଧାନ କରିପାରିବେ । ଶୀତଦିନେ ଗରମପାଣି ପିଇବା ଦ୍ୱାରା ଆପଣଙ୍କୁ ବି ଆହୁରି ଅନେକ ଲାଭ ମିଳିବ ।

ଏକ ସର୍ବେକ୍ଷଣ ମୁତାବକ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରର ମେଟାବୋଲିକ ହାରରେ ସୁଧାର ଆସିଥାଏ । ଏହା ଫଳରେ ହଜମ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ । ଥଣ୍ଡା ପାଣି ତୁଳନାରେ ଗରମ ପାଣି ଆପଣଙ୍କ ପାଚନ କ୍ରିୟାକୁ ସର୍ବାଧିକ ତ୍ୱରାନିତ କରିଥାଏ । ଗରମପାଣି ପିଇବା ଦ୍ୱାରା ଅମ୍ଳ, ବାତ ଭଳି ସମସ୍ୟା ଦୂର ହୋଇଥାଏ ।

ଗରମ ଦିନ ତୁଳନାରେ ଶୀତଦିନେ ରକ୍ତଚାପ ଅଧିକ ରହିଥାଏ । କାରଣ ଶୀତଦିନେ ରକ୍ତ କୋଷିକାର ପ୍ରବାହ ଧିମା ପଡିଯାଇଥାଏ । ଏହି ସମୟରେ ଯଦି ଆପଣ ଗରମ ପାଣି ପିଉଛନ୍ତି ତେବେ ତାହା ଆପଣଙ୍କ ରକ୍ତ ପ୍ରବାହର ଗତିକୁ ଦ୍ରୁତ କରିଥାଏ । ଏହାଦ୍ୱାରା ରକ୍ତ ସଂଚାଳନରେ ସୁଧାର ଆସିଥାଏ ।

ଶୀତ ଋତୁରେ ଅନେକ ଲୋକଙ୍କର ମାଂସପେଶୀରେ ଦରଜ ହୋଇଥାଏ । ଏହାର କାରଣ ଭାବେ ତାପମାତ୍ରା ହ୍ରାସ ବୋଲି କୁହାଯାଇଥାଏ । ଫଳରେ ଗଣ୍ଠିଗୁଡିକ ଯୋଡେଇ ସ୍ଥାନରେ ଲୋକମାନେ ଦରଜ ଅନୁଭବ କରିଥାନ୍ତି । ଏଣୁ ଶୀତଋତୁରେ ଗରମପାଣି ପିଇବା ଦ୍ୱାରା ମାଂସପେଶୀ ସଂଚାଳିତ ହୋଇଥାଏ ଓ ଗଣ୍ଠି ଦରଜ କମ ହୋଇଥାଏ ।

ଶୀତ ଋତୁରେ ମେଟାବୋଲିଜିମ ହାର କମିବା ଫଳରେ ମଣିଷର ଓଜନ ବୃଦ୍ଧି ହୋଇଥାଏ । ଯଦି ଆପଣ ଶୀତ ଋତୁରେ ଗରମପାଣି ପିଉଛନ୍ତି ତେବେ ତାହା ମେଟାବୋଲିଜିମ୍ ସିଷ୍ଟମକୁ ବିଚ୍ଛୁରିତ କରି ଶରୀରରେ ଜମିଥିବା ଚର୍ବିକୁ କମ କରିବାରେ ସହାୟକ ହୋଇଥାଏ ।

ଶୀତଦିନେ ବିଶେଷ ଭାବେ ନାକ ଓ ଗଳାରେ ସମସ୍ୟା ଦେଖାଦେଇଥାଏ । ନାକରୁ ପାଣି ଗଡିବା, ଗଳା ସଂକ୍ରମିତ ହୋଇ କାଶ ହେବା ଭଳି ଲକ୍ଷଣ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମଳିଥାଏ । ଗରମ ପାଣିରେ ଲୁଣ ଓ ଅଦା ରଶ ମିଶାଇ କୁଳିକଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।