ଏବେ ସବୁ ଯାତ୍ରୀ ରହିବେ ସୁରକ୍ଷିତ : ୮ ସିଟ୍‌ର ଗାଡ଼ିରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ

304

କନକ ବ୍ୟୁରୋ : ଆଠ ପର୍ଯ୍ୟନ୍ତ ସିଟ୍ ଥିବା ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି । ସେ କହିଛନ୍ତ ଯେ ଏହାଦ୍ବାରା ସବୁ ବର୍ଗର ଗାଡ଼ିରେ ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ ।

ଗାଡ଼ିର ମୂଲ୍ୟ କିମ୍ବା ଭାରିଆଣ୍ଟ୍‌ ଯାହା ହୋଇଥାଉ ନା କାହିଁକି ସେଥିରେ ୬ଟି ଏୟାରବ୍ୟାଗ୍ ଲାଗିବ । ଡ୍ରାଇଭରଙ୍କ ପାଇଁ ଏୟାରବ୍ୟାଗ୍ ଲଗାଇବା ବିଷୟକୁ ୨୦୧୯ ଜୁଲାଇରୁ ବାଧ୍ୟତାମୂଳକ କରାଯାଇଛି । ଚଳିତବର୍ଷ ଜାନୁଆରିରୁ ଗାଡ଼ିର ଆଗ ଦୁଇ ସିଟ୍‌ ଲାଗି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି । ଏହାଦ୍ବାରା ଉଭୟ ଚାଳକ ଓ ତାଙ୍କ ସହ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରାଯାଇପାରିବ ବୋଲି ସେ କହିଛନ୍ତି ।

ଏମ୍‌୧ ବର୍ଗର ଗାଡ଼ିରେ ଅତିରିକ୍ତ ଚାରିଟି ବ୍ୟାଗ୍ ଲଗାଇବା ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଗାଡ଼ି ସାମ୍ନା ପଟୁ ଧକ୍କା ଦେଲେ କିମ୍ବା ଅନ୍ୟ କୌଣସି ଗାଡ଼ି ଆସି ସେହି ଗାଡ଼ିର ମଝାମଝି ମାଡ଼ ହେଲେ ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିପାରିବେ । ପୂର୍ବ ଭଳି ଗାଡ଼ିର ଦୁଇ ଆଗ ସିଟ୍ ପାଇଁ ଦୁଇଟି ଏୟାରବ୍ୟାଗ୍ ରହିବ । ଏହାବାଦ୍‌ ଦୁଇ ପାର୍ଶ୍ବରେ ଟର୍ସୋ ଏୟାରବ୍ୟାଗ୍ ଓ ଉଭୟ ପାର୍ଶ୍ବର କର୍ଟେନ୍‌/ ଟ୍ୟୁବ୍ ଏୟାରବ୍ୟାଗ୍ ଲଗାଯିବ । ଫଳରେ ଗାଡ଼ି ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ମିଳିପାରିବ। ମୋଟର ଗାଡ଼ିରେ ଯାତ୍ରାକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଗଡ଼କରୀ କହିଛନ୍ତି ।