ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୬.୫ ମିଲିୟନ ଡଲାର, ୧୮ ସୁନା ଇଟା । ଭିଡିଓ ଜାରି କରି ଦାବି କଲା ତାଲିବାନ ।

369

କନକ ବ୍ୟୁରୋ: ଆଫଗାନିସ୍ତାନରେ ଏବେ ଚାଲିଛି ତାଲିବାନରାଜ । ପୂର୍ବ ଶାସକମାନଙ୍କୁ ହଟେଇ ଏବେ ଆଫଗାନରେ ରାଜ କରୁଛନ୍ତି ତାଲିବାନୀ । ଏହାରି ଭିତରେ ପୂର୍ବ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି ତାଲିବାନୀ । ତାଲିବାନୀ ଦାବି କରିଛି ଯେ, ପଞ୍ଜଶିର ଅଞ୍ଚଳରେ ଯୁଦ୍ଧ ଲଢୁଥିବା ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ଏବଂ ଅଠର ସୁନା ଇଟା ଜବତ କରାଯାଇଛି । ତାଲିବାନର ସାଂସ୍କୃତିକ ଆୟୋଗ ଓ ମଲ୍ଟି ମିଡିଆ ଶାଖା ପ୍ରମୁଖ ଅହମଦୁଲ୍ଲା ମୁସ୍ତାକି ଏକ ଭିଡିଓ ଜାରି କରି ଏହି ଦାବି କରିଛନ୍ତି ।

ମୁସ୍ତାକିଙ୍କର ଏହି ୧ ମିନିଟ୍ ୨୬ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ୮ରୁ ୧୦ ଜଣ ତାଲିବାନୀ ଦୁଇଟି ସୁଟକେସରେ କିଛି ଆମେରିକୀୟ ଡଲାର ଓ ସୁନା ଇଟାର ଯାଞ୍ଚ କରୁଛନ୍ତି । ଏହି ସମୟରେ କିଛି ଲୋକ ମୋବାଇଲରେ ଏହାର ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଟଙ୍କା କେବେ ଜବତ କରାଯାଇଛି ସେନେଇ ମୁସ୍ତାକି କୌଣସି ସଫେଇ ରଖିନାହାଁନ୍ତି ।

ଏହାପୂର୍ବରୁ ଆଫଗାନିସ୍ତାନର ପୂୂର୍ବ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇକୁ ତାଲିବାନୀମାନେ ହତ୍ୟା କରିଥିଲେ । କାହିଁକି ନା, ଅମରୁଲ୍ଲା ସାଲେହ ଏବେ ପଞ୍ଜଶିର ଘାଟିରେ ତାଲିବାନୀ ବିରୋଧରେ ଯୁଦ୍ଧ ଲଢୁଛନ୍ତି । ତେବେ ପଞ୍ଜଶିରକୁ କବଜା କରିବା ପରେ ଏବେ ଅମରୁଲ୍ଲା ସାଲେହ ଓ ଅହମ୍ମଦ ମସୁଦ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ।