ବିନା ମ୍ୟାଚ ଖେଳି ବିଜୟୀ ହେବାକୁ ପ୍ରୟାସ କରିଥିଲା ଇଂଲଣ୍ଡ । ବିସିସିଆଇ ଦେଲା ଭିନ୍ନ ପ୍ରସ୍ତାବ, ଏବେ ଆସନ୍ତା ବର୍ଷକୁ ଅପେକ୍ଷା… ।

967

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ସିରିଜର ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା । ସିରିଜର ଫଳାଫଳ କିଭଳି ନିର୍ଣ୍ଣୟ କରାଯିବ ତାହାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଲା । ଏପରିକି ଭାରତୀୟ ଦଳ ମ୍ୟାଚ୍ ଖେଳିବାକୁ ଅସମର୍ଥ ଥିବାରୁ ବିନା ଖେଳରେ ଏହି ମ୍ୟାଚର ବିଜେତା ହେବାକୁ ଇଂଲଣ୍ଡ ଜୋରଦାର ପ୍ରୟାସ କରିଥିଲା । ଏପରିକି ଟ୍ୱିଟ୍ କରି ଏଭଳି ସଂକେତ ମଧ୍ୟ ଦେଇସାରିଥିଲା ଇଂଲଣ୍ଡ କ୍ରିକେଟ ବୋର୍ଡ । ଆଉ ଇଂଲଣ୍ଡର ଏଭଳି ଆଭିମୁଖ୍ୟ ଭାରତର ଐତିହାସିକ ସିରିଜ ବିଜୟ ପଥରେ ସବୁ ବଡ ବାଧକ ହୋଇ ଛିଡା ହୋଇଥିଲା । କିନ୍ତୁ ଏବେ ସିରିଜର ଫଳାଫଳ ପଞ୍ଚମ ମ୍ୟାଚ୍ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଅଥାର୍ତ ଏହି ସିରିଜର ୫ମ ମ୍ୟାଚ୍ ଖେଳାଯିବ, ଆଉ ଏଥିପାଇଁ ଖୁବଶୀଘ୍ର ଆଉ ଏକ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଆଉ ଏଭଳି ଏକ ପ୍ରସ୍ତାବ ଇଂଲଣ୍ଡ କ୍ରିକେଟ ବୋର୍ଡ ଆଗରେ ରଖିଛି ବିସିସିଆଇ । ଆସନ୍ତାବର୍ଷ ଇଂଲଣ୍ଡ ଗସ୍ତରେ ଯେତେବେଳେ ଭାରତ ସୀମିତ ଓଭର ସିରିଜ ଖେଳିବାକୁ ଯିବ ସେତେବେଳେ ଏହି ମ୍ୟାଚ ଖେଳାଯିବ ବୋଲି ସଂକେତ ମିଳୁଛି । ଆଉ ଏହି ମ୍ୟାଚର ଫଳାଫଳ ଆଧାରରେ ସିରିଜର ଫଳାଫଳ ଘୋଷଣା ହେବ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ ।

ଆସନ୍ତା ୨୦୨୨ ଜୁଲାଇ ମାସରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବ । ସେତେବେଳେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଭାରତ । ତେବେ ଏହି କାର୍ଯ୍ୟସୂଚୀ ମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯାଇପାରେ ।

ଏହାପୂର୍ବରୁ ଆଜି ୫ମ ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଥିବା ବେଳେ  କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଶେଷ ମ୍ୟାଚକୁ ରଦ୍ଦ କରାଯାଇଛି । ଭାରତୀୟ ଟିମର ସହକାରୀ ଫିଜିଓ କରୋନାରେ ସଂକ୍ରମିତ ହେବା ପରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଭାରତ ଏହି ମ୍ୟାଚ୍ ଡ୍ର କରି କିମ୍ବା ବିଜୟୀ ହୋଇ ସିରିଜ ଜିତିବା ଲକ୍ଷ୍ୟରେ ରହିଥିଲା, କିନ୍ତୁ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସବୁକିଛି ବଦଳାଇ ଦେଇଛି କରୋନା ସଂକ୍ରମଣ । ଇଂଲଣ୍ଡ କ୍ରିକେଟ ବୋର୍ଡ ମୁତାବକ, ଫିଜିଓ କରୋନାରେ ଆକ୍ରାନ୍ତ ହେବା ପରେ ଭାରତୀୟ କ୍ରିକେଟର ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ନୁହନ୍ତି । ଯେଉଁଥିପାଇଁ ମ୍ୟାଚକୁ ରଦ୍ଦ କରିବାକୁ ପଡିଲା । ଭାରତୀୟ କ୍ରିକେଟର ହୋଟେଲ ରୁମରୁ ବାହାରକୁ ଆସୁନଥିବା ବେଳେ ଗତକାଲି ଟ୍ରେନିଂ ସେସନରୁ ମଧ୍ୟ ଦୂରେଇ ରହିଥିଲେ ।

ତେବେ ଏସବୁ ଭିତରେ ଭାରତୀୟ କ୍ରିକେଟ ଟିମର ପୂର୍ବରୁ ୱିକେଟକିପର ଥିବା ଦିନେଶ କାର୍ତ୍ତିର୍କ କହିଛନ୍ତି, ଟିମ୍ ଇଣ୍ଡିଆର ଖେଳାଳୀଙ୍କ ସହ ମୁଁ କଥା ହୋଇଛି । ଚତୁର୍ଥ ଟେଷ୍ଟ ପରେ ଅଧିକାଂଶ ଖେଳାଳୀ ଥକି ଯାଇଥିବା ବେଳେ ୪ଟି ଯାକ ମ୍ୟାଚ୍ ରୋମାଞ୍ଚକର ମଧ୍ୟ ରହିଥିଲା । ତେବେ ଚତୁର୍ଥ ଟେଷ୍ଟ ପରେ ଭାରତୀୟ ଟିମ୍ ପାଖରେ କେବଳ ଜଣେ ଫିଜିଓ ଥିଲେ । କାରଣ ପୂର୍ବରୁ ମୁଖ୍ୟ ଫିଜିଓ କରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ରହିଥିଲେ । ଆଉ ସହକାରୀ ଫିଜିଓ ହିଁ ସମସ୍ତ ଖେଳାଳୀଙ୍କୁ ଫିଟନେସ ଉପରେ ଧ୍ୟାନ ଦେଉଥିଲେ । ଆଉ ଯେତେବେଳେ ସହକାରୀ ଫିଜିଓ ମଧ୍ୟ କରୋନାରେ ସଂକ୍ରମିତ ହେଲେ ତାହା ଟିମ୍ ଇଣ୍ଡିଆର ଚିନ୍ତା ବଢାଇଦେଲା ।

ଦିନେଶ କାର୍ତ୍ତିକଙ୍କ କହିବା ଅନୁଯାୟୀ, ଟେଷ୍ଟ କ୍ରିକେଟ ପରେ ଆଇପିଏଲ, ଆଇପିଏଲ ପରେ ଟି-୨୦ ବିଶ୍ୱକପ, ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏଭଳି ସ୍ଥିତିରେ ଖେଳାଳୀ ମାନେ କେତେ ଦିନ ବାୟୋ ବବଲରେ ରହିବେ । ଏପରିକି ୫ମ ମ୍ୟାଚ୍ ଖେଳାଯିବ କି ନାହିଁ ତାହା ଜାଣିବା ପାଇଁ ରାତି ୨.୩୦ ଯାଏଁ ଖେଳାଳୀ ମାନେ ଶୋଇନଥିଲେ । ତେଣୁ ଆଜି ମ୍ୟାଚ୍ ଖେଳାଯିବା ସମ୍ଭବ ନଥିଲା । ଏହାବାଦ୍ ଯଦି ଖେଳ ହୋଇଥାନ୍ତା ଏବଂ ୩ ଦିନ ପରେ ଜଣେ ଖେଳାଳୀ ସଂକ୍ରମିତ ହୋଇଥାନ୍ତେ ତେବେ ସ୍ଥିତି କଣ ହୋଇଥାନ୍ତା । ଅନ୍ୟ ଖେଳାଳୀ ମାନେ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ବଢି ଯାଇଥାନ୍ତା । ଆଉ ଥରେ ସଂକ୍ରମିତ ହେଲେ ସଙ୍ଗରୋଧରେ ଖେଳାଳିଙ୍କୁ ରହିବାକୁ ପଡିଥାନ୍ତା । ଏହାଦ୍ୱାରା ଆଇପିଏଲ ପାଇଁ ମଧ୍ୟ ବାଟ ବନ୍ଦ ହୋଇଯାଇଥାନ୍ତା । କାରଣ ଏବେ ଯେଉଁ ଖେଳାଳୀଙ୍କର ରିପୋର୍ଟ ନେଗେଟିଭ ଆସିଛି ହୁଏତ ଆଉ ଦିନ କେଇଟା ମଧ୍ୟରେ ଉକ୍ତ ଖେଳାଳୀ ପଜିଟିଭ ହୋଇପାରନ୍ତି । କାରଣ କରୋନାର ଲକ୍ଷଣ ଦିନ ଦୁଇଦିନ ପରେ ଦେଖିବାକୁ ମିଳିଥାଏ ।