ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ : ରଦ୍ଦ ହେଲା ପଞ୍ଚମ ଟେଷ୍ଟ । ଏବେ ସିରିଜ ଫଳାଫଳ କଣ ହେବ?

947

କନକ ବ୍ୟୁରୋ : ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହୋଇଛି । ଦୁଇ ବୋର୍ଡ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମ୍ୟାଚ୍ ପାଇଁ ଯେପରି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଇଂଲଣ୍ଡ କ୍ରିକେଟ ବୋର୍ଡର କହିବା ଅନୁଯାୟୀ, ଭାରତ ଏହି ମ୍ୟାଚ୍ ଖେଳିବାକୁ ଅସର୍ମଥତା ଦର୍ଶାଇଥିଲା । ଯେଉଁ କାରଣରୁ ମ୍ୟାଚକୁ ରଦ୍ଦ କରାଯାଇଛି ।

ଇସିବି ପକ୍ଷରୁ ବିସିସିଆଇ ସହ ଆଲୋଚନା ପରେ କୁହାଯାଇଛି ଯେ, ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟକୁ ରଦ୍ଦ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଭାରତୀୟ ଟିମ୍ ମୈଦାନକୁ ଓହ୍ଲାଇବାକୁ ଅସର୍ମଥ ଥିବା ଦର୍ଶାଇଥିଲା । ତେଣୁ ମ୍ୟାଚକୁ ରଦ୍ଦ କରାଯାଉଛି । ଏହାପୂର୍ବରୁ କେବଳ ଆଜି ଦିନର ଖେଳ ରଦ୍ଦ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଚତୁର୍ଥ ଟେଷ୍ଟରେ ଜିତିବା ପରେ ଭାରତ ସିରିଜରେ ୨-୧ରେ ଆଗୁଆ ଥିଲା । ଏପରିକି ମାଞ୍ଚେଷ୍ଟରରେ ବିଜୟ କିମ୍ବା ଡ୍ର ସହ ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥାନ୍ତା ବିରାଟ ବାହିନୀ । କିନ୍ତୁ ଏହାପୂର୍ବରୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ ଓ ଫିଜିଓ କରୋନାରେ ସଂକ୍ରମିତ ହୋଇଥିଲେ । ଏପରିକି ଗତକାଲି ସହକାରୀ ଫିଜିଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ତେଣୁ ସହକାରୀ ଫିଜିଓଙ୍କ ସଂସ୍ପର୍ଶରେ କିଛି ଖେଳାଳୀ ଆସିଥିବାରୁ କୋଭିଡ ସଂକ୍ରମଣ ଆଶଙ୍କା କରି ମ୍ୟାଚରୁ ଦୂରେଇ ରହିବାକୁ ଏକପ୍ରକାର ନିଷ୍ପତ୍ତି ନେଇଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଉ ଆଜି ଦୁଇ ବୋର୍ଡ ମଧ୍ୟରେ ଆଲୋଚନା ପରେ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ମ୍ୟାଚ୍ ରଦ୍ଦ ପରେ ସିରିଜର ଫଳାଫଳ କଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଯଦି ପୂର୍ବ ଫଳାଫଳ ରୁହେ ତେବେ ଭାରତ ଏହି ସିରିଜ ବିଜୟୀ ହେବ । ଯେହେତୁ ଭାରତୀୟ ଟିମ୍ ମ୍ୟାଚ୍ ଖେଳିବାକୁ ଅସର୍ମଥତା ପ୍ରକାଶ କରିଥିଲା ତେଣୁ ସେହି ଆଧାରରେ ଯଦି ମ୍ୟାଚ୍ ରଦ୍ଦ କାରଣରୁ ଇଂଲଣ୍ଡକୁ ବିଜୟୀ କରାଯାଏ ତେବେ ଭାରତର ସିରିଜ ବିଜୟ ଆଶା ଧୂଳିସାତ ହୋଇଯିବ ।