କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ମ୍ୟାଚର ଫଳାଫଳ କଣ ହେବ, ଭାରତ ସିରିଜ ବିଜୟୀ ହେବ ନା ସିରିଜ ଡ୍ର ରହିବ । ଏହାକୁ ନେଇ ସସପେନ୍ସ ଲାଗି ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମ୍ୟାଚକୁ ରଦ୍ଦ କରାଯାଇଛି । ପୂର୍ବରୁ ଗୋଟିଏ ଦିନ ପାଇଁ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପରେ ପୂରା ମ୍ୟାଚକୁ ରଦ୍ଦ କରି ଦିଆଯାଇଛି । ତେବେ ଏନେଇ ଇଂଲଣ୍ଡ କ୍ରିିକେଟ ବୋର୍ଡ ପକ୍ଷରୁ କୁହଯାଇଛି ଯେ, କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କାରଣରୁ ଭାରତ ପୂରା ଟିମ୍ ମୈଦାନକୁ ଓହ୍ଲାଇବାକୁ ଅସର୍ମଥ ଥିଲା । ତେଣୁ ମ୍ୟାଚକୁ ରଦ୍ଦ କରିବାକୁ ପଡିଲା ।
Following ongoing conversations with the BCCI, the ECB can confirm that the fifth LV= Insurance Test at Emirates Old Trafford, due to start today, will be cancelled.
— England Cricket (@englandcricket) September 10, 2021
ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଆଗକୁ ଏହି ପଞ୍ଚମ ଟେଷ୍ଟ ଖେଳାଯିବ କି? ନା ମ୍ୟାଚ୍ ରଦ୍ଦ ହେବା ପରେ ଭାରତ ସିରିଜ ଜିତିବ, ନା ମ୍ୟାଚ ରଦ୍ଦ ପାଇଁ ଇଂଲଣ୍ଡକୁ ବିଜୟୀ ଘୋଷଣା କରି ସିରିଜକୁ ଡ୍ର କରାଯିବ । ଏପରିକି କିଛି ଜଣ ଅନୁମାନ ଲଗାଉଛନ୍ତି ଯେ, ସିରିଜର ପଞ୍ଚମ ଟେଷ୍ଟ ଆସନ୍ତା ବର୍ଷ ଖେଳାଯିବ । ତେବେ ମ୍ୟାଚ୍ ରଦ୍ଦ ହେବା ପରେ ଇଂଲଣ୍ଡ ଏହି ମ୍ୟାଚ୍ ଜିତିବା ନେଇ ଦାବି କରିଥିଲା । ଯେହେତୁ ମ୍ୟାଚ୍ ଖେଳିବାକୁ ଭାରତ ପ୍ରସ୍ତୁତ ନଥିଲା ସେଥିପାଇଁ ଏଭଳି ଦାବି କରୁଥିଲା ଇଂଲଣ୍ଡ । କିନ୍ତୁ ପରେ ନିଜ ବୟାନ ବଦଳାଇଛି ଇଂଲଣ୍ଡ ।
ଚତୁର୍ଥ ଟେଷ୍ଟରେ ଜିତିବା ପରେ ଭାରତ ସିରିଜରେ ୨-୧ରେ ଆଗୁଆ ଥିଲା । ଏପରିକି ମାଞ୍ଚେଷ୍ଟରରେ ବିଜୟ କିମ୍ବା ଡ୍ର ସହ ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥାନ୍ତା ବିରାଟ ବାହିନୀ । କିନ୍ତୁ ଏହାପୂର୍ବରୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ ଓ ଫିଜିଓ କରୋନାରେ ସଂକ୍ରମିତ ହୋଇଥିଲେ । ଏପରିକି ଗତକାଲି ସହକାରୀ ଫିଜିଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ତେଣୁ ସହକାରୀ ଫିଜିଓଙ୍କ ସଂସ୍ପର୍ଶରେ କିଛି ଖେଳାଳୀ ଆସିଥିବାରୁ କୋଭିଡ ସଂକ୍ରମଣ ଆଶଙ୍କା କରି ମ୍ୟାଚରୁ ଦୂରେଇ ରହିବାକୁ ଏକପ୍ରକାର ନିଷ୍ପତ୍ତି ନେଇଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଉ ଆଜି ଦୁଇ ବୋର୍ଡ ମଧ୍ୟରେ ଆଲୋଚନା ପରେ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ମ୍ୟାଚ୍ ବାତିଲ ପରେ ସିରିଜର ଫଳାଫଳ କଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।