ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଫାଇଭ-ଟି ସଚିବ ଓ ଉନ୍ନୟନ କମିସନ: ୧୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲର ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ କଲେ ଆଲୋଚନା

254

କନକ ବ୍ୟୁରୋ: ଢେଙ୍କାନାଳରେ ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ ଓ ଉନ୍ନୟନ୍ନ କମିସନର ସୁରେଶ ମହାପାତ୍ର । ଢେଙ୍କାନାଳ କୋଭିଡ ୧୯ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଓ ଉନ୍ନୟନ୍ନ କମିସନର । ୧୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲର ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ।

ଗତକାଲି ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭି. କାର୍ତ୍ତିକେୟନ ପାଣ୍ଡିଆନ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଓ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ହେଲିକେପ୍ଟର ଯୋଗେ ଆସି ବାରିପଦାରେ ପହଞ୍ଚିବା ପରେ ବାଙ୍କିଶୋଳରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ହସ୍ପିଟାଲ ବୁଲି ଦେଖିଥିଲେ। ମୟୂରଭଞ୍ଜ ଜିଲ୍ଲାରେ କୃଷି, ନରେଗା ଭଳି ଜୀବନଜୀବିକା କାର୍ଯ୍ୟ ଲକ୍ଡାଉନ ପାଇଁ ପ୍ରଭାବିତ ହେବା ଉଚିତ୍ ନୁହେଁ। ଜିଲ୍ଲାରେ କେହି କରୋନା ପଜିଟିଭ୍ ନଥିଲେ ମଧ୍ୟ ଅଧିକ କରୋନା ପରୀକ୍ଷାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସନ୍ତୋଷଜନକ ବୋଲି ପ୍ରକାଶ କରି ଦୁଇ ଅଧିକାରୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରହିଥିବା ୨ ଶହ ଶଯ୍ୟା, ୧୦ଟି ଆଇସିୟୁ, ୧୦ଟି ଏଚ୍ଡିୟୁ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ।

ପରେ ମୁଖ୍ୟଶାସନ ସଚିବ ଓ ୫ଟି ସଚିବ ବାଲେଶ୍ୱର ରିଜର୍ଭ ପୁଲିସ ପଡ଼ିଆ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ଜ୍ୟୋତି ଚିକିତ୍ସାଳୟରେ ଖୋଲିଥିବା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏଠାରେ କରୋନା ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ସହିତ ୧୨ଟି ଆଇସିୟୁ ଶଯ୍ୟା (ଭେଣ୍ଟିଲେଟର), ୮ଟି ଏଚ୍ଡିୟୁ ଶଯ୍ୟା ଓ ୧୦୦ଟି ସାଧାରଣ ଶଯ୍ୟା ରହିଥିବାବେଳେ ଦୁଇ ସଚିବ ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଇଥିବା ପ୍ରସ୍ତୁତି ଦେଖିବା ସହ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଥିଲେ।