କନକ ବ୍ୟୁରୋ : ଦୁଇ ଦିନିଆ ଦେବଗଡ଼ ଗସ୍ତରେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ପ୍ରସିଦ୍ଧ ଝାଡେଶ୍ୱର ମନ୍ଦିର ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଓ ପୂଜକଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ପାଣ୍ଡିଆନ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ପରିସରରେ ମିସନ ଶକ୍ତି ପକ୍ଷରୁ ଖୋଲା ଯାଇଥିବା କାଫେ ଓ କଂସର ଗ୍ରାମରେ ଥିବା ୫-ଟିରେ ରୂପାନ୍ତରିତ ହୋଇଥିବା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ରୋଶନ ମିଞ୍ଜଙ୍କ ଭଳି ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ଜିଲ୍ଲା ଦେବଗଡ଼ରେ ହକିର ବିକାଶ ନିମନ୍ତେ ସେ ଆଲୋଚନା କରିଥିଲେ । ଜିଲ୍ଲାରେ ଏକ ନୂତନ ହକି ତାଲିମ କେନ୍ଦ୍ରକୁ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ କ୍ରୀଡ଼ା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ ।

ଏହା ପରେ ସେ ତିଲେଇବଣି ବ୍ଲକର ପାରପୋଷି ଗ୍ରାମରେ ଥିବା ଖେଳପଡିଆରେ ଓ ପରେ ରିଆମାଳ ବ୍ଲକ ଅନ୍ତର୍ଗତ ନାଉଲିପଡା ଖେଳପଡିଆଠାରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜନସାଧାରଣମାନଙ୍କ ଠାରୁ ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଅଭିଯୋଗପତ୍ର ମିଳିବା ପରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାରକୋଟ ବ୍ଲକର ବଳମ ଗ୍ରାମର ଖେଳପଡିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଏମବିକେ , ବ୍ୟାଙ୍କ ମିତ୍ର, ସିଆରପିଙ୍କ ସହିତ ଆଲୋଚନା କରିବା ସହିତ ମହିଳାମାନେ କିପରି ଅଧିକ ସଶକ୍ତ ହୋଇପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ । ବାରକୋଟ, ରିଆମାଳ ଏବଂ ତିଲେଇବଣି ବ୍ଲକ୍‌ରେ ଚାଲିଥିବା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା କରିବା ସହିତ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।