କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପଣ୍ଡିଆନ । ଆରଡି, ଅସୁରାଳି ଓ ଭଦ୍ରକ ପୌରାଂଚଳରେ ଲୋକଙ୍କ ସହ ବାର୍ତାଳାପ କରିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଅସୁରାଳିରେ ସେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଧାମନଗର ଉପନିର୍ବାଚନ କଥା ଉଠାଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ପାଣ୍ଡିଆନ କହିଛନ୍ତି , ୨୦୨୨ ଧାମନଗର ଉପନିର୍ବାଚନ ପାଇଁ ୫ ଥର ଆସିଥିଲେ ପ୍ରଚାରର ମଙ୍ଗ ଧରିଥିବା ନେତା । ଗାଁ ଗାଁରେ ବୁଲି ଲୋକଙ୍କୁ ଭେଟିଥିଲେ । ଶହ ଶହ ପ୍ରତିଶ୍ରୃତି ବି ଦେଇଥିଲେ । ଏବେ ଉପନିର୍ବାଚନ ସରିବାର ବର୍ଷେ ହେଲାଣି , କିନ୍ତୁ ଲୋକଙ୍କୁ ଧନ୍ୟବାଦ ଦେବାକୁ ବି ଆସିଲେ ନାହିଁ । ଯାହା ପ୍ରତିଶ୍ରୃତି ଦେଇଥିଲେ ଗୋଟିଏ ବି ରଖିଲେ ନାହିଁ । ଏହା ହେଉଛି ଭୋଟ ରାଜନୀତି କରୁଥିବା ଲୋକଙ୍କ ପ୍ରକୃତ ଚେହେରା ।
ଭି.କେ.ପାଣ୍ଡିଆନ ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିଛନ୍ତି । ଆରଡି ପୀଠ ଯାଇ ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ଏଠାରେ ଚାଲିଥିବା ଉନ୍ନତିମୂଳକ କାମ ଦେଖିଥିଲେ । ଏଠାରେ ଏକ ସାଧାରଣ ସଭାରେ ଯୋଗଦେବା ପରେ ଅସୁରାଳିରେ ଏକ ସମାବେଶରେ ଯୋଗଦେଇ ମହିଳା ପଂଚାୟତ ପ୍ରତିନିଧି ଓ ସ୍ଥାନୀୟ ଅଂଚଳବାସୀଙ୍କ ଆପତି ଅଭିଯୋଗ ଶୁଣିଥିଲେ । ସେହିଭଳି ଭଦ୍ରକ ନେହେରୁ ଷ୍ଟାଡିୟମରେ ସ୍ଥାନୀୟ ବିଜୁ ଜନତାଦଳ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବିଭିନ୍ନ ପ୍ରକଳ୍ପର ଘୋଷଣା କରିଥିଲେ । ଭଦ୍ରକରେ ପାଣ୍ଡିଆନ କହିଛନ୍ତି, ମନ୍ଦିର ରୂପାନ୍ତରିକରଣ ପାଇଁ କିଛି ଲୋକଙ୍କ ନିଦ ହଜିଯାଇଛି ।
ଗଂଜାମରୁ ଜିଲ୍ଲାରୁ ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିଛନ୍ତି ଫାଇବ-ଟି ଅଧ୍ୟକ୍ଷ । ଆଉ ସବୁୁ ସ୍ଥାନରେ ଲୋକଙ୍କ ସମସ୍ୟା ବୁଝୁଛନ୍ତିା ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ପ୍ରତିଶ୍ରୃତି ଦେଉଛନ୍ତି ।