୨୦୨୨ ଜୁନ୍ ମାସ ସୁଦ୍ଧା ସରିବ ବରମୁଣ୍ଡା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମ । ପ୍ରକଳ୍ପ ସ୍ଥାନ ବୁଲି ଦେଖିଲେ ୫-ଟି ସଚିବ ।

139

କନକ ବ୍ୟୁରୋ: ୨୦୨୨ ଜୁନ ମାସ ସୁଦ୍ଧା ସରିବ ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟର ଷ୍ଟେଟ ବସ୍ ଟର୍ମିନାଲର କାମ  । ଆଜି ଏନେଇ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହାସହ ସେ ଇଣ୍ଟର ଷ୍ଟେଟ ବସ୍ ଟର୍ମିନାଲର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି  । ୧୮୦ କୋଟି ଟଙ୍କା ବ୍ୟୟରେ ୧୫.୫ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି  । ଜୁନ୍ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି  । ଖଣ୍ଡଗିରିରେ ୩୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ବସ୍ ଡିପୋ ମଧ୍ୟ ଏହାର ଏକ ଅଂଶ  । ତେବେ ଠିକ୍ ସମୟରେ କାମ ଶେଷ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ୫-ଟି ସଚିବ  । ଏହାସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍  ।

ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ୍ କମ୍ କରିବା ପାଇଁ ସମାନ୍ତରାଳ ରୋଡ୍ ପ୍ରକଳ୍ପ ପିଡବ୍ଲୁଡି ଦ୍ୱାରା କରାଯାଉଛି  । ଏହି ରାସ୍ତା ସିଆରପିଏଫ୍ ସ୍କୋୟାରରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଥମେଟିକ୍ସକୁ ସଂଯୋଗ କରିବ  । ୯୨ କୋଟି ଟଙ୍କା ବ୍ୟୟରେ ୧୩.୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି  । ବର୍ତ୍ତମାନ ଜାଭିୟର ସ୍କେ୍ୱାୟାରରୁ ଇନଫୋସିଟି ସ୍କୋୟାର ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ୫.୧୭ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି  । ଏହି ପ୍ରକଳ୍ପ କାମ ୨୦୨୨ ଫେବ୍ରୁଆରୀ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

ସେହିପରି ଚନ୍ଦ୍ରଶେଖରପୁରରେ ପିପିିିପି ମୋଡରେ ବିଡିଏ ପକ୍ଷରୁ ସୁଲଭ ଗୃହ ନିର୍ମାଣ କାମ ଚାଲିଛି  । ୨୦.୨୧ ଏକ ଜାଗାରେ ୨୬ ଶହ ଘର ନିର୍ମାଣ କରାଯାଉଛି  । ଏହି କଲୋନୀରେ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସପିଂ ଏରିଆ ଓ ଖେଳିବା ପାଇଁ ବ୍ୟବସ୍ଥା ରହିବ  । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି  ।