ବିଜେଡିରେ ଭି.କେ.ପାଣ୍ଡିଆନ୍ । ନବୀନ ନିବାସରେ ମିଶ୍ରଣ ପର୍ବ

131

କନକ ବ୍ୟୁରୋ : ନବୀନ ନିବାସରୁ ଆସିଥିବା ଚିତ୍ର, ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପକାଇଛି । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭି.କେ.ପାଣ୍ଡିଆନ । ଏବଂ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଦଳରେ ସାମିଲ ହେବା ପରେ ଓଡିଶାବାସୀଙ୍କ ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ ।

ନବୀନ ନିବାସରେ ଦଳରେ ସାମିଲ ହେବା ପରେ ଦଳୀୟ କାର୍ଯ୍ୟାଳୟ ଶଂଖ ଭବନକୁ ଯାଇ ନେତା ଓ କର୍ମୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ଆଉ ପ୍ରଶାସନିକ ଅଧିକାରୀରୁ ପାଣ୍ଡିଆନ୍ ରାଜନୀତିର ମଇଦାନକୁ ପ୍ରବେଶ କରିବା ପରେ, ବିଜେଡି ଶିବିର ବେଶ୍ ଚଳଚଂଚଳ ହୋଇଛି । ପାଣ୍ଡିଆନଙ୍କ ଯୋଗଦାନ ଦଳରେ ଶକ୍ତି ବଢ଼ାଇବ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି । ପ୍ରଶାସନିକ ସ୍ତରରେ ଯେଉଁଭଳି ନିଷ୍ପତି ନେଉଥିଲେ , ରାଜନୀତିରେ ମଧ୍ୟ ତାଙ୍କୁ ସେହିଭଳି ଦେଖିବାକୁ ମିଳିବ ବୋଲି ମତ ରଖିଛନ୍ତି ।

୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ସେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ନିଜର ଦକ୍ଷତା ପ୍ରମାଣିତ କରି ସିଧା ଏଂଟ୍ରି ମାରିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ଆଉ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅକ୍ଟୋବର ୨୩ରେ ଚାକିରିରୁ ସ୍ୱେଛାକୃତ ଅବସର ନେଇଥିଲେ ଭି.କେ.ପାଣ୍ଡିଆନ । ଅକ୍ଟୋବର ୨୪ରେ ତାଙ୍କୁ ମିଳିଥିଲା ଫାଇଭ-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଦାୟିତ୍ୱ ।

ହେଲେ, ଏତିକିରେ ଚର୍ଚ୍ଚା ଥମିନି । ଆଗକୁ କେଉଁ ଭୂମିକାରେ ଆସିବେ ଭି. କେ. ପାଣ୍ଡିଆନ୍? ୨୦୨୪ ନିର୍ବାଚନରେ ତାଙ୍କ ଭୂମିକା କଣ ରହିବ? ସେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ କି ନାହିଁ? ଯଦି ଲଢ଼ିବେ କେଉଁଠୁ ଲଢ଼ିବେ? ସେ ନେଇ ଆରମ୍ଭ ହୋଇଛି ନୂଆ ଆଲୋଚନା । ଆଉ ଏସବୁ ଭିତରେ ଦଳରେ ମିଶିବାର ପ୍ରଥମ ଦିନରେ ପାର୍ଣ୍ଡିଆନ ଗଞ୍ଜାମ ଗସ୍ତ କରି ମା ତାରାତାରେଣୀଙ୍କ ଦର୍ଶନ କରିଛନ୍ତି । ଯାହାକି ନୂଆ ଚର୍ଚ୍ଚାକୁ ବଢ଼ାଇଛି ।