କଟକ ବଡ଼ ମେଡ଼ିକାଲରେ ଫାଇଭ୍-ଟି ସଚିବ । ଭୋର ସକାଳୁ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ପରଖିଲେ ପାଣ୍ଡିଆନ୍, ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମିର କଲେ ଅନୁଧ୍ୟାନ ।

339

କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନାରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ । ଆଜି ବଢ଼ି ଭୋରରୁ ଅନ୍ଧାର ଥାଉ ଥାଉ ଅନ୍ୟ ଅଧିକାରୀଙ୍କ ସହ କଟକର ଏସସିବି ମେଡିକାଲରେ ପହଞ୍ଚି ଯାଇଥିଲେ ଫାଇଭ-ଟି ସଚିବ । ଡାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟସେବାର ସ୍ଥିତି ଯାଂଚ କରିଥିଲେ ପାଣ୍ଡିଆନ୍ । ତେବେ ହଠାତ୍ ଏତେ ଭୋରରୁ ସଚିବ କାହିଁକି ବଡ ଡାକ୍ତରଖାନାରେ ପହଞ୍ଚିଲେ ତାକୁ ନେଇ ଦିନ ତମାମ ଚର୍ଚ୍ଚା ଚାଲିଥିଲା ।

ସମୟ: ଭୋର ୪ଟା ୫୦ । ସ୍ଥାନ: କଟକ ବଡ଼ ମେଡ଼ିକାଲ । ଅତର୍କିତ ଭାବରେ ଡାକ୍ତରଖାନାରେ ପହଞ୍ଚିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ । ସାଥିରେ ଥିଲେ, ଏନଏଚଏମ ନିର୍ଦ୍ଦେଶିକା, ପୁଲିସ କମିଶନର, କଟକ ଡିସିପି ଏବଂ ଜିଲ୍ଲାପାଳ । ଉଦ୍ଦେଶ୍ୟଥିଲା, ରାଜ୍ୟର ସବୁଠୁ ବଡ଼ ମେଡ଼ିକାଲରେ କେମିତି ଚାଲିଛି ସ୍ୱାସ୍ଥ୍ର୍ୟସେବା ତା’ର ତଦାରଖ କରିବା । ପ୍ରଥମେ କାଜୁଆଲିଟି ଯାଇ ରୋଗୀଙ୍କ ଅବସ୍ଥା ଯାଂଚ କରିଥିବା ବେଳେ ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ମ୍ୟାପର ଅନୁଧ୍ୟାନ କରିଥିଲେ । ଏସସିବିରେ ଖାଲି ପଡ଼ିଥିବା ଜାଗାର କିଭଳି ସୁବିନିଯୋଗ ହୋଇ ପାରିବ, ତା’ର ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଆଉ ଏସବୁ ଭିତରେ କଟକ ବଡ଼ ମେଡ଼ିକାଲ ପାଇଁ ବଡ଼ ଧରଣର ଘୋଷଣା କରିଛନ୍ତି ରାଜ୍ୟ ସରକାର । କଟକ ଏସସିବି ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳାଯିବ । ଏଥିପାଇଁ ଏକ ଅତ୍ୟାଧୁନିକ ତିନି ହଜାର ଶର୍ୟ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ କରାଯିବ । ଆଉ ଏଥିପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିବ ।

ସତରେ ବଦଳୁଛି କି ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ? ରୋଗୀଙ୍କୁ ମିଳିପାରୁଛି କି ଉତ୍ତମ ସ୍ୱାସ୍ଥ୍ୟସେବା ? ଏଭଳି କିଛି ପ୍ରଶ୍ନ ଏଇଥି ପାଇଁ ଉଠୁଛି କାରଣ, ରାଜ୍ୟର କୋଣ-ଅନୁକୋଣରୁ କଟକ ମେଡ଼ିକାଲକୁ ଧାଇଁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟମାନେ ଏଠି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ଏମିତି କି ପାଣ୍ଡିଆନଙ୍କ ଗସ୍ତର ଠିକ୍ ପରେ ପରେ ଯେଉଁ ସବୁ ପ୍ରତିକ୍ରିୟା ଆସିଥିଲା, ତାହା ରୋଗୀଙ୍କ ସେହି ନିରାଶା ଭାବକୁ ପ୍ରମାଣିତ କରୁଛି ।

ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟସେବାକୁ ନେଇ କଟକ ମେଡ଼ିକାଲ ଉପରେ ଥିବା ଲୋକଙ୍କ ଆସ୍ଥାକୁ ପୁଣି ଥରେ ଫେରାଇ ଆଣିବାକୁ ହେଲେ ପୁରା ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଜରୁରୀ । ଆଉ ହୁଏତ ସେହି ଲକ୍ଷ୍ୟରେ ରାଜ୍ୟ ସରକାର ଡାକ୍ତରଖାନରେ ପ୍ରୟୋଗ କରିଛନ୍ତି ମୋ ସରକାର ଅଭିଯାନ ।