କରୋନା ସଂକ୍ରମିତଙ୍କ ପାଇଁ ପିପି ମୋଡରେ ହେଉଛି ଡାକ୍ତରଖାନା: ନିର୍ମାଣାଧିନ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡକୁ ବୁଲି ଦେଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

ସେପଟେ କଟକର ଅଶ୍ୱିନୀ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ପାଇଁ ଖୁବଶୀଘ୍ର ନିଆଯିବ ନିଷ୍ପତି

725

କନକ ବ୍ୟୁରୋ: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସରକାର ପିପି ମୋଡରେ ନିର୍ମାଣ କରୁଛନ୍ତି ଡାକ୍ତରଖାନା । ଏନେଇ ପୂର୍ବରୁ କିମ୍ସ ଓ ସମ୍ ହସ୍ପିଟାଲସହ ଚୁକ୍ତି ହୋଇସାରିଛି । ସମ୍ ହସ୍ପିଟାଲରେ ନିର୍ମାଣାଧିନ ଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡକୁ ବୁଲି ଦେଖିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ । ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ହସ୍ପିଟାଲ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ଏହି କୋଭିଡ -୧୯ ସ୍ୱତନ୍ତ୍ର ୱାର୍ଡର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ କିମ୍ସ୍ ହସ୍ପିଟାଲରେ ନିର୍ମାଣାଧିନ ଥିବା ୪୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡର ସ୍ଥିତି ଅନୁଧ୍ୟାନ କରିଥିଲେ ରାଜ୍ୟ ସରକାର ।

ସେହିପରି କଟକର ଅଶ୍ୱିନୀ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ୍ରେ ପରିଣତ କରିବା ପାଇଁ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍, ପୂର୍ତ ସଚିବ କିଷନ କୁମାର ଓ କଟକ ଜିଲ୍ଲାପାଳ ଅଶ୍ୱିନୀ ହସ୍ପିଟାଲ ବୁଲି ଦେଖିଛନ୍ତି । ଏହି ହସ୍ପିଟାଲର ଭିତିଭୂମି ଓ ସୁବିଧା ସୁଯୋଗ ଆଦି ବ୍ୟବସ୍ଥାକୁ ନିରୀକ୍ଷଣ କରାଯାଇଛି ।