କନକ ବ୍ୟୁରୋ: ଫାଇଭ-ଟି ସଚିବ ରାଜନୀତି କରିପାରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସିଧାସିଧା କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଫାଇଭ-ଟି ସଚିବଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ୍ କରିଛନ୍ତି ସୌମ୍ୟ । କହିଛନ୍ତି, ଆମ ଦଳରେ କ’ଣ କେହି ନେତା ନାହାନ୍ତି । ଜଣେ ଦୁଇଜଣ ଆଇଏଏସ୍ ଅଫିସର କ’ଣ ଦଳ ସମ୍ଭାଳିବେ? ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି, ତାହେଲେ ଇସ୍ତଫା ଦେଇ ଦିଅନ୍ତୁ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଏଥିରେ ଆପତ୍ତି ନାହିଁ ।

Advertisment

ଏହା ପୂର୍ବରୁ ସୌମ୍ୟ ପଟ୍ଟନାୟକଙ୍କ ଉପରେ ପ୍ରତିକ୍ରିୟା ରଖିଥିଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ସୌମ୍ୟ ବାବୁ ଜାଣିବା ଦରକାର ସେ ବିଜେଡିରେ ଅଛନ୍ତି । ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମନ୍ତବ୍ୟ ଦେଉଛନ୍ତି ତାହା ଠିକ୍ ନୁହେଁ । ନିର୍ଦ୍ଦିଷ୍ଟ ଭାବେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆକ୍ରୋଶମୂଳକ ଭାବେ ଇଙ୍ଗିତ କରିବା ସଂପୂର୍ଣ୍ଣ ଭୁଲ । ନିର୍ଦ୍ଦିଷ୍ଟ ଦଳରେ ରହି, ଦଳୀୟ ପ୍ଲାଟଫର୍ମରେ ନକହି ଏକପାଖିଆ ଭାବେ ସବୁ କଥା ଉପରେ ସମାଲୋଚନା କରିବାକୁ ବ୍ଲାକମେଲ ବୋଲି କୁହାଯିବ । ପ୍ରତାପ ଦେବ କହିଛନ୍ତି ଯଦି ଆପଣ ଦଳୀୟ ଫୋରମକୁ ମାନୁନାହାନ୍ତି ତେବେ ଦଳରେ ରହିବା ଅନୁଚିତ । ସମ୍ପାଦକୀୟ ଆଳରେ ଦଳ ଭିତରେ ରହି ଦଳର ଅନୁଶାସନ ଭଙ୍ଗାଯାଉଛି । ଯଦି ସମ୍ପାଦକୀୟ ଲେଖିବାର ଅଛି, ତେବେ ଦଳରୁ ବାହାରିଯାଇ ସମ୍ପାଦକୀୟ ଲେଖନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ ।

ଏନେଇ ପ୍ରତାପ ଦେବଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଶକ୍ତ ଜବାବ ଦେଇଛନ୍ତି । ସୌମ୍ୟ ପଟ୍ଟନାୟକ ପଚାରିଛନ୍ତି ଯେ, ଦଳୀୟ ଫୋରମ୍ କ’ଣ ତୃତୀୟ ମହଲାରେ ଅଛି କି । ଖଣ୍ଡପଡା ବିଧାୟକ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ ଯେ ମୋ କଥା ତାଙ୍କୁ କିଛି ପରିମାଣରେ ଆଘାତ ଦେଇଛି । ମୁଁ କେବେବି ଦଳ ବିରୋଧୀ କଥା କହିନାହିଁ । ଯାହା କହିଛି ଦଳର ହିତ ପାଇଁ । କାହା କଥାରେ ହଁ ଭରିବା ବ୍ୟକ୍ତି ମୁଁ ନୁହେଁ । ମୁଁ ବିଜେଡିକୁ ଭଲ ପାଏ । ତେଣୁ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ଯଦି ନିଲମ୍ବନ କରିବାର ଅଧିକାର ଅଛି, ତାହେଲେ କରିପାରିବେ ।