ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ?

92

କନକ ବ୍ୟୁରୋ : ସରିଛି ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ନିର୍ବାଚନ । ତେଣୁ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଦିଲ୍ଲୀ ଗାଦିରେ ବସିବାକୁ ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡର ଫଳାଫଳ ଗୋଟିଏ ବଡ ବଳ ଦେଇଥାଏ ।

୫ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟ ବେଶ୍ ଭିନ୍ନ ରହିଛି । ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବା ବେଳେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିଛି । ତେଲେଙ୍ଗାନା ଓ ମିଜୋରାମରେ ଯଥାକ୍ରମେ ଭାରତ ରାଷ୍ଟ୍ର ସମିତି ଓ ମିଜୋରାମରେ ନ୍ୟାସନାଲ ଫ୍ରଟ (ଏମ୍ଏନ୍ଏଫ୍) ଆଂଚଳିକ ଦଳ ଏକାଠି ହୋଇ ସରକାର ଗଢିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ରେ ଯେତେବେଳେ ମଧ୍ୟପ୍ରଦେଶରେ ନିର୍ବାଚନ ହୋଇଥିଲା, ସେତେବେଳେ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରାୟ ସମାନ ଭୋଟ୍ ସେୟାର ପାଇଥିଲେ । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୪ଟି ଆସନ ସହ ବିଜେପିର ୧୦୯ଟି ଆସନରୁ ସାମାନ୍ୟ ଅଧିକ ଆସନରେ ବିଜୟୀ ହୋଇଥିଲା । ଛୋଟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସହାୟତାରେ କଂଗ୍ରେସ ସରକାର ଗଠନ କରିଥିଲା । କିନ୍ତୁ ଗୋଟିଏ ବର୍ଷ ପରେ କଂଗ୍ରେସ ନେତା ତଥା ଏବେର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହୋଇଥିଲେ । ଆଉ ସାଂଗରେ ୨୨ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରାଇଥିଲେ । ଏହା ବିଜେପିକୁ ପୁଣି ଥରେ କ୍ଷମତାକୁ ଫେରାଇ ଆଣିବା ସହ ଶିବରାଜ ସିଂହ ଚୌହାନଙ୍କ ପାଇଁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ଖୋଲିଥିଲା । ଏଥର କିନ୍ତୁ ୨୦୧୯ର ପରିଣାମ ପାଇଁ ଲୋକେ କଂଗ୍ରେସକୁ ଅଧିକ ଭୋଟ୍ ଦେଇ ବିଜେପିକୁ ଚେକ୍ ଦେଇପାରନ୍ତି ।

ରାଜସ୍ଥାନରେ ଏବେର ଶାସକ ଦଳ କଂଗ୍ରେସ ପରମ୍ପରା ଭାଂଗି ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବ ବୋଲି ବିଶ୍ୱାସ ରହିଛି । ଆଉ ପରମ୍ପରା ବଜାୟ ରହିଲେ ବିଜେପି ଏକ ନିର୍ଣ୍ଣାୟକ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି । ୨୦୦ ବିଧାନସଭା ଆସନରୁ ରାଜସ୍ଥାନରୁ ବିଜେପି ଏକପାଖିଆ ବିଜୟୀ ହେବ ବୋଲି ଆଶା ରଖିଥିବା ବେଳେ କଂଗ୍ରେସ ଗେହଲୋଟ ସରକାରର କାମକୁ ବିଶ୍ୱାସ ରଖିଛି । ଯାହା ପରମ୍ପରା ଭାଂଗି ରେକର୍ଡ କରିବ ବୋଲି କୁହାଯାଉଛି । ୨୦୧୮ରେ ରାଜ୍ୟରେ ଗେହଲୋଟ ସରକାର ଆସିଥିଲା । କିନ୍ତୁ ସାଧାରଣ ନିର୍ବାଚନରେ ବିଜେପି ସମସ୍ତ ୨୫ଟି ଲୋକସଭା ଆସନରେ କ୍ଲିନ୍ ସୁଇପ୍ କରିଥିଲା ।

୯୦ ଆସନ ମଧ୍ୟରୁ ବିଜେପିକୁ ଅଡୁଆ ସାଜିଛି ବାଘେଲ-ସିଂହଦେଓ ଯୋଡି଼ । ରାଜ୍ୟରେ କଂଗ୍ରେସର ଏହି ଦୁଇ ନେତାଙ୍କ ମଧ୍ୟରେ କ୍ଷମତାକୁ ନେଇ ବିବାଦ ଥିଲେ ମଧ୍ୟ କଂଗ୍ରେସ ଏହାକୁ ମ୍ୟାନେଜ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି । ଏଥିସହ ବିଭିନ୍ନ ଯୋଜନାଠୁ ସଠିକ୍ ଭାବେ ପ୍ରଣୟନ କରି ଲୋକଙ୍କ ଆସ୍ଥା ଜିତିବାରେ କଂଗ୍ରେସ ସଫଳ ହୋଇଛି ବୋଲି କୁହାଯାଉଛି । କିନ୍ତୁ ଇଡି, ସିବିଆଇ ତଦନ୍ତ କଂଗ୍ରେସକୁ ଅଡୁଆରେ ପକାଇଛି । ଆଉ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପି ଚଳିତଥର ଅଧିକ ଆସନ ପାଇବ ବୋଲି ଆଶା ରଖିଛି । ତେବେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପି ୧୦ ଲୋକସଭା ଆସନରୁ ୯ଟିରେ ବିଜୟୀ ହୋଇଥିଲା ।

୧୧୯ ବିଧାନସଭା ଆସନରେ ଏଠାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱାଧୀନ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି । ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ନୂଆ ରାଜ୍ୟର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ କଂଗ୍ରେସ କ୍ଷମତାକୁ ଆସିବ ବୋଲି କୁହାଯାଉଛି । ଅନ୍ୟପଟେ ହ୍ୟାଟ୍ରିକ ଚାନ୍ସ ଅପେକ୍ଷାରେ ରହିଛନ୍ତି କେସିଆର । ତେବେ ବିଜେପି ଏଠାରେ ଅନେକ ପ୍ରଚାର କରିଛି କିନ୍ତୁ ବିଭିନ୍ନ ରାଜନୈତିକ ଦୃଷ୍ଟିକୋଣରୁ ଏଠାରେ ବିଜେପିର ଆଶା କମ୍ ରହିଛି । ୨୦୧୯ରେ ୧୭ ଲୋକସଭା ଆସନ ମଧ୍ୟରୁ କେସିଆରଙ୍କ ଦଳ ୯ଟି, ବିଜେପି ୩ଟି, କଂଗ୍ରେସ ୩ଟି ଏବଂ ଏଆଇଏମଆଇଏମ ଗୋଟିଏ ଆସନରେ ଜିତିଥିଲା ।

ମିଜୋରାମରେ ୪୦ ଆସନ ବିଶିଷ୍ଟ ବିଧାନସଭାରେ ଉଭୟ ଶାସକ ଏମ୍ଏନ୍ଏଫ୍ ଓ କଂଗ୍ରେସର ଭୋଟ୍ ବ୍ୟାଙ୍କ କମିପାରେ । କିନ୍ତୁ ଜୋରାମ ପିପୁଲ୍ସ ମୁଭମେଂଟ ଗୋଟିଏ ବଡ ଭୂମିକା ଗ୍ରହଣ କରିପାରେ । ୨୦୧୮ ବିଧାନସଭା ନିର୍ବାଚନରେ ଖ୍ରୀଷ୍ଟିଆନ ବହୁଳ ମିଜୋରାମରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ବିଜେପିକୁ ବିଶେଷ ଲାଭ ମିଳିବାର ସମ୍ଭାବନା ନାହିଁ ।