ଟ୍ୱିଟରରେ ବଢି ଚାଲିଛି ମୋଦିଙ୍କ ଲୋକପ୍ରିୟତା । ବିଶ୍ୱର ସବୁଠୁ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ତାଲିକାରେ ଟପ-୩ରେ ଭାରତର ପ୍ରଧାନମନ୍ତ୍ରୀ ।

276

ସୋସିଆଲ ମିଡିଆରେ ଦେଶରେ ମୋଦି ନମ୍ବର ୱାନ୍ । ସୋସିଆଲ ମିଡିଆରେ ଦିନକୁ ଦିନ ମୋଦିଙ୍କର ଲୋକପ୍ରିୟତା ବଢି ବଢି ଚାଲିଛି । ଖାସକରି ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଜବରଦସ୍ତ କ୍ରେଜ ରହିଛି । ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବା ପଛରେ ସୋସିଆଲ ମିଡିଆର ବଡ ଭୂମିକା ରହିଛି ହୁଏତ ଏକଥାକୁ କେହି ଅସ୍ୱୀକାର କରିବେ ନାହିଁ । ଖାସକରି ଟ୍ୱିଟରରେ ବେଶ ସକ୍ରିୟ ରହୁଥିବା ମୋଦି ଏବେ ଟ୍ୱିଟରରେ ବିଶ୍ୱର ସବୁଠୁ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ତାଲିକାରେ ଟପ-୩ରେ ରହିଛନ୍ତି ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ହିଁ ମୋଦି ଟ୍ୱିଟର ସହ ଯୋଡି ହୋଇଛନ୍ତି । ସେବେଠାରୁ ଟ୍ୱିଟରରେ ଲୋକଙ୍କ ସମସ୍ୟା ବୁଝି ଆସୁଛନ୍ତି ମୋଦି । ଟ୍ୱିଟର ସହ ପ୍ରାୟ ୧୦ ବର୍ଷ ହେବ ଯୋଡି ରହିଥିବା ମୋଦିଙ୍କର ଫଲୋଅର୍ସ ସଂଖ୍ୟା ଏବେ ୫ କୋଟି ଟପିଛି । ଟ୍ୱିଟରରେ ସବୁଠୁ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ନମ୍ବରରେ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମୋଦି ୫ କୋଟି ଫଲୋଅର୍ସଙ୍କ ସହ ଏହି ତାଲିକାର ତୃତୀୟରେ ରହିଛନ୍ତି ।

ତେବେ ଭାରତରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସବୁଠୁ ଅଧିକ ଫଲୋଅର୍ସ ରହିଛନ୍ତି । ସେହିଭଳି ଅନ୍ୟ ଭାରତୀୟ ନେତାଙ୍କ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ ୨ ନମ୍ବରରେ ଥିବା ବେଳେ ଅମିତ ଶାହା ୩ ରାଜନାଥ ସିଂ ୪ ଓ ରାହୁଲ ଗାନ୍ଧି ୫ ନମ୍ବର ସ୍ଥାନରେ ରହିଛନ୍ତି । ପୂରା ବିଶ୍ୱରେ ଟ୍ୱିଟରରେ ଅଧିକ ଫଲୋ କରୁଥିବା ବ୍ୟକ୍ତିଙ୍କ ଟପ୍-୨୦ ତାଲିକାରେ ମୋଦି ରହିଛନ୍ତି ।