ଓଡିଶାରେ ମିଳିବ ୫ଜି ସେବା । ମହଙ୍ଗା ହେବ ମୋବାଇଲ ଡାଟା!

1,443

କନକ ବ୍ୟୁରୋ: ଫାଇବ-ଜି ସ୍ପେକ୍ଟ୍ରମ ନିଲାମି ସରିବା ପରେ ଭାରତ ଶୀଘ୍ର ଇଣ୍ଟରନେଟର ନୂଆ ଯୁଗରେ ପ୍ରବେଶ କରିବାକୁ ଯାଉଛି । ଫାଇବ-ଜି ସ୍ପେକ୍ଟ୍ରମ ନିଲାମ ବାବଦକୁ କେନ୍ଦ୍ର ସରକାର ଦେଢ ଲକ୍ଷ କୋଟି ଟଙ୍କା ପାଇଛନ୍ତି । ୫ଜି ବ୍ୟାଣ୍ଡ ପାଇଁ ଟେଲିକମ କମ୍ପାନୀଗୁଡିକ ବିପୁଳ ପୁଞ୍ଜି ନିବେଶ କରିଥିବାରୁ ଡାଟା ଟାରିଫ ଦର ବଢିବ ବୋଲି ଚର୍ଚ୍ଚା ଚାଲିଛି ।

  • ଓଡିଶାରେ ମିଳିବ ୫ଜି ସେବା
  • ମହଙ୍ଗା ହେବ ମୋବାଇଲ ଡାଟା!

ଫାଇବ-ଜି ସ୍ପେକ୍ଟ୍ରମ ନିଲାମ ସରିବା ପରେ ଓଡିଶାରେ ଏୟାରଟେଲ ଓ ଜିଓର ଫାଇବ-ଜି ସେବା ମିଳିବା ନିଶ୍ଚିତ ହୋଇଛି । ଓଡିଶା ଟେଲିକମ ସର୍କଲ ଲାଗି ମୁକେଶ ଅମ୍ବାନୀଙ୍କ ସଂସ୍ଥା ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ୫ଜି ସେବା ଯୋଗାଇବା ପାଇଁ ବିଭିନ୍ନ ବ୍ୟାଣ୍ଡ କିଣିଛନ୍ତି ।

  • ରିଲାଏନ୍ସ ଜିଓ – ଓଡିଶାରେ ୫ଜି ସେବା ଯୋଗାଇବା ପାଇଁ ୧୫୯୦ କୋଟି ଟଙ୍କା ବ୍ୟୟ କରିଛି
  • ଓଡିଶା ପାଇଁ ଜିଓ- ୭୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ କିଣିଛି
  • ଭାରତୀ ଏୟାରଟେଲ – ଓଡିିଶାରେ ୫ଜି ସେବା ଯୋଗାଇବା ପାଇଁ ୭୭୯ କୋଟି ଟଙ୍କା ଖର୍ଚ୍ଚ କରିଛି
  • ଓଡିଶା ପାଇଁ ଏୟାରଟେଲ-୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ କିଣିଛି

ଓଡିଶାରେ ଫାଇବ-ଜି ସେବା ପାଇଁ ସ୍ପେକ୍ଟ୍ରମ କିଣିବାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଏବଂ ସୁନୀଲ ମିତଲଙ୍କ ଏୟାରଟେଲ ବିପୁଳ ପୁଞ୍ଜି ନିବେଶ କରିଛନ୍ତି । ତେଣୁ ଗ୍ରାହକଙ୍କ ଠାରୁ ଏହାର ଭରଣା ପାଇଁ ଗ୍ରାହକଙ୍କ ଉପରେ ଡାଟା ଟାରିଫର ଦର ବୃଦ୍ଧି ବୋଝ ଲଦି ଦେଇପାରନ୍ତି ।

  • ଡାଟା ଦର ବଢାଇବାକୁ କଂପାନୀଙ୍କ ସଜବାଜ
  • ଗ୍ରାହକ ମୁଣ୍ଡାଇବେ ମୋବାଇଲ ବିଲର ବୋଝ

ଗତ ନଭେମ୍ବର ମାସରେ ଟେଲିକମ କମ୍ପାନୀଗୁଡିକ ଡାଟା ଟାରିଫର ଦର ବଢାଇଥିଲେ । ଏବେ ୫-ଜି ସ୍ପେକ୍ଟ୍ରମ ପାଇଁ ବିପୁଳ ପୁଞ୍ଜି ନିବେଶ କରିଛନ୍ତି । ତେଣୁ ସେହି କ୍ଷତି ଭରଣା କରିବାକୁ ଗ୍ରାହକ ଉପରେ ଏହାର ବୋଝ ଲଦି ଦେଇପାରନ୍ତି ।

  • ୫-ଜି ସେବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ
  • ଗ୍ରାହକଙ୍କୁ ୫-ଜି ସହ ଯୋଡିବା ପାଇଁ ୪-ଜିର ଦର ବଢାଇ ପାରନ୍ତି ଟେଲିକମ କମ୍ପାନୀ

ଫାଇଭ-ଜି ଆସିବା ପରେ, ୪ଜି-ରେ କେତେ ଦର ବଢିପାରେ ଏନେଇ ନୋମୁରା ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ ଏକ ଆକଳନ କରିଛି । ସେହି ଅନୁସାରେ…ଟେଲିକମ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ପାଇଁ ଟାରିଫରେ ୪% ଶୁଳ୍କ ବଢାଇପାରନ୍ତି । ଦୈନିକ ଦେଢ ଜିବି ଡାଟା ପ୍ଲାନରେ ହାରାହାରି ୩୦% ଦର ବୃଦ୍ଧି ହୋଇପାରେ

ଦେଶର ବିଭିନ୍ନ ସ୍ଥାନରେ ୫ଜି ସେବା ପାଇଁ ସ୍ପେକ୍ଟ୍ରମ କିଣିଥିବା ଭୋଡାଫୋନ ଆଇଡିଆ ଓ ଆଦାନୀ ଡାଟା ନେଟୱାର୍କସ ଓଡିଶା ଟେଲିକମ ସର୍କଲ ପାଇଁ ଆଗ୍ରହ ଦେଖାଇ ନାହାନ୍ତି । ତେଣୁ ଓଡିଶାରେ କେବଳ ଜିଓ ଏବଂ ଏୟାରଟେଲର ୫ଜି ସେବା ମିଳିବା ସ୍ପଷ୍ଟ ହୋଇଛି । ପ୍ରତିଦ୍ୱନ୍ଦିତା ଅଭାବରୁ ଜିଓ ଏବଂ ଏୟାରଟେଲକୁ ଏକଚାଟିଆ ଦର ବଢାଇବା ପାଇଁ ବାଟ ଫିଟାଇ ଦେଇପାରେ ।