କନକ ବ୍ୟୁରୋ: ଡିଜିଟାଲ ଦୁନିଆରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ଭାରତ । ଆରମ୍ଭ ହୋଇଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫- ଜି ସେବା ପ୍ରଦାନକାରୀ କମ୍ପାନୀ ଗୁଡିକର ପ୍ରସ୍ତୁତିକୁ ବୁଲି ଦେଖିବା ସହ ଏହାଦ୍ୱାରା କି ସୁବିଧା ମିଳିବ ଗୋଟି ଗୋଟି କରି ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ । ଆଉ ତାପରେ ରିମୋଟ ବଟନ୍ ଦାବି ୫-ଜିର ଶୁଭାରମ୍ଭ କରିଛନ୍ତି । ୫-ଜି ଶୁଭାରମ୍ଭ କରିବା ପରେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରି କହିଛନ୍ତି, ବିଂଶତମ ଶତାବ୍ଦିରେ ସବୁଠାରୁ ବଡ ଶକ୍ତିର ଆଗମନ ହୋଇଛି । ୫-ଜି ଦ୍ୱାରା ଦେଶରେ ବୈଷୟିକ କ୍ଷେତ୍ରରେ କ୍ରାନ୍ତି ଆସିବ । ୫-ଜି ସେବା ଦ୍ୱାରା ଦେଶରେ ଇଣ୍ଟରନେଟ ସ୍ପିଡ ୧୦ଗୁଣ ବଢ଼ିଯିବ ।

Advertisment

୫-ଜିର ଶୁଭାରମ୍ଭ ପରେ ଦେଶର ୮ଟି ସହରରେ ଆସିଛି ୫-ଜି ନେଟୱାର୍କ । ଦିଲ୍ଲୀ, ବାରଣାସୀ, ମୁମ୍ବାଇ, ବେଙ୍ଗାଲୁରୁ, ସିିଲିଗୁଡି, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇରେ ୪-ଜି ବଦଳରେ ଏୟାରଟେଲର ୫-ଜି ସିଗନାଲ ଆସିଛି । ଖୁବଶୀଘ୍ର ରିଲାଏନ୍ସ ଜିଓ ଓ ଭୋଡାଫୋନର ସିଗନାଲ ବି ଆସିବ । ଏଥିସହ ଦେଶର ବିଭିନ୍ନ ସହରରେ ଖୁବଶୀଘ୍ର ୫-ଜି ସେବା ମିଳିବ ବୋଲି କହିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

  • ରାଷ୍ଟ୍ରପତିଙ୍କ ଗାଁରେ ୫-ଜି ଟେଷ୍ଟ
  • ପାହାଡପୁରବାସୀ ଦେଖିଲେ ୫-ଜି ଡେମୋ

ଓଡିଶାର କୌଣସି ସହରରେ ୫-ଜି ସେବା ଉପଲବ୍ଧ ହୋଇନଥିଲେ ବି ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ଲାଇଭ୍ ଟେଷ୍ଟ କରାଯାଇଛି । ରିଲାଏନ୍ସ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୫-ଜି ନେଟୱାର୍କର ଡେମୋକୁ ଦେଖିଛନ୍ତି ପାହାଡପୁରର ସ୍କୁଲପିଲା ।

ନଜର ପକାନ୍ତୁ, ୫-ଜି ଦ୍ୱାରା କଣ ଲାଭ ହେବ...

  • ୪-ଜି ତୁଳନାରେ ୫-ଜି ଟେଲିକମ ସେବା ୧୦ ଗୁଣା ଅଧିକ ସ୍ପିଡ୍ ରହିବ
  • ୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବପେଜ୍
  • ୫-ଜିରେ ଇଣ୍ଟରନେଟ୍ ସ୍ପିଡ୍ ବର୍ତମାନର ସ୍ପିଡଠାରୁ ଢେର ଅଧିକ ହେବ
  • ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
  • ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନଲୋଡ କିମ୍ବା ଅପଲୋଡ କରିହେବ
  • ଏକାଧିକ ଡିଭାଇସକୁ ଇଣ୍ଟରନେଟ୍ ସହ ଯୋଡାଯାଇ ପାରିବ
  • ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ
  • ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ
  • ଅତି ସହଜରେ ଅନଲାଇନରେ ପାଠ ପଢ଼ିପାରିବେ ପିଲା

ତେବେ ୨୦୨୩ ଶେଷ ସୁଦ୍ଧା ଏହି ସେବା ସାରାଦେଶରେ ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ହେଲେ, ଓଡିଶାର କୌଣସି ସହର ପ୍ରଥମ ପର୍ଯ୍ୟାୟରେ ସାମିଲ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।