କନକ ବ୍ୟୁରୋ: ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଉଛି ଜଳ ସଙ୍କଟ । ଏହି ପ୍ରସଙ୍ଗରେ ଜାତିସଂଘ ପାଣିପାଗ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ବିଶ୍ୱର ୫୦୦କୋଟି ଲୋକ ଜଳପାଇବାରୁ ବଂଚିତ ହେବେ । ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱ ସମୁଦାୟ ଆଗେଇ ଆସିବାକୁ ଜାତିସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ୨୦୧୮ ମସିହା ଠାରୁ ୩୬୦ କୋଟି ଲୋକଙ୍କୁ ବର୍ଷକରେ ଗୋଟିଏ ମାସ ପାଣି ମିଳୁନଥିବା ଜାତିସଂଘ ରିପୋର୍ଟରୁ ଜଣାପଡିଛି । ଅକ୍ଟୋବର ୩୧ ରୁ ନଭେମ୍ବର ୧୨ ଯାଏଁ ଆୟରଲ୍ୟାଣ୍ଡର ଗ୍ଲାସଗୋଠାରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ସମ୍ମିଳନୀରେ ଜଳ ସଙ୍କଟ ସମସ୍ୟାର ସମାଧାନ ଉପରେ ଅଲୋଚନା ହେବାର ସୂଚନା ରହିଛି ।
ଜାତିସଂଘ ରିପୋର୍ଟ ଅନୁଯାୟୀ, ବିଗତ ୨୦ ବର୍ଷ ମଧ୍ୟରେ ପୃଥିବୀରୁ ଜଳସ୍ତର ବର୍ଷକୁ ୧ ସେଣ୍ଟିମିଟର ହ୍ରାସ ପାଉଛି । ଆଣ୍ଟାର୍ଟିକା ଓ ଗ୍ରୀନଲ୍ୟାଣ୍ଡର ବିରାଟ ବରଫ ଗୁଡିକ କ୍ରମାଗତ ତରଳିବାରେ ଲାଗୁଥିବାରୁ ଏଭଳି ସମସ୍ୟା ହେଉଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ବିଶ୍ୱର ତାପମତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ମଧ୍ୟ ଜଳସ୍ତର ଉପରେ ପଡୁଥିବା କୁହାଯାଇଛି । ୨୦୦୦ ମସିହା ପରଠାରୁ ମରୁଡି ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ପ୍ରସଙ୍ଗରେ ଆଫ୍ରିକା ମହାଦେଶ ସବୁଠୁ ଆଗରେ ରହିଛି । ମରୁଡି ସମସ୍ୟା ଯୋଗୁଁ ଆଫ୍ରିକାରେ ଅଧିକାଂଶ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ।ଏସବୁର ମୁଖ୍ୟ କାରଣ ହେଉଛି ବିଶ୍ୱ ତାପମାନ ବୃଦ୍ଧି ଓ ଜଙ୍ଗଲ କାଟ । ଯଦି ଏବେ ଠାରୁ ଏସବୁ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବା ସହ ଜଳ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ବିଶ୍ୱର ଅôଧକାଂଶ ଲୋକ ଏହି ଯନ୍ତ୍ରଣାରେ ଛଟପଟ ହେବା ନିଶ୍ଚିତ । ଏହାସହ ବିଶ୍ୱରେ ପାଣି ପାଇଁ ହାହାକାର ପଡିବ । ୫୦୦ କୋଟି ଲୋକ ପାଣି ପାଇବାରୁ ବଂଚିତ ହେବେ ବୋଲି ଚେତାଇ ଦେଇଛି ଜାତିସଂଘର ପାଣିପାଗ ସଙ୍ଗଠନ ।