ଏସପିଜି : ମୋଦିଙ୍କ ସୁରକ୍ଷାକବଚ । ଯେଉଁଥିପାଇଁ ଦିନକୁ ଖର୍ଚ୍ଚ ହୋଇଥାଏ ୧ କୋଟି ୬୨ ଲକ୍ଷ ଟଙ୍କା । 

918

କନକ ବ୍ୟୁରୋ : ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ଜାଣିବା ପାଇଁ ଅନେକ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । କାରଣ ପ୍ରଧାନମନ୍ତ୍ରୀଙ୍କ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଏମିତି ରହିଥାଏ ଯାହାକୁ ଭେଦ କରିବା ଅସମ୍ଭବ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ସୁରକ୍ଷାକବଚ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ଦୈନିକ ପ୍ରାୟ ୧ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ସଂସଦରେ ଏକ ଲିଖିତ ଉତ୍ତର ଦେବା ପରେ ଏହି ବାବଦରେ ଜାଣିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିବାରୁ ଏତେ ଟଙ୍କା ଖର୍ଚ୍ଚ ହୋଇଥାଏ ।

ସଂସଦରେ ଡିଏମକେ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ଦେଶରେ ବର୍ତ୍ତମାନ କେବଳ ଜଣକୁ ହିଁ ଏସପିଜି ସୁରକ୍ଷା ମିଳୁଛି । ଏହାପୂର୍ବରୁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦେବା ପାଇଁ ସଂସଦରେ ଆଇନ ପାରିତ ହୋଇଥିଲା । ଆଇନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପଦରୁ ବିଦାୟ ନେବା ପରେ ୫ ବର୍ଷ ଯାଏଁ ଏହି ଏସପିଜି ସୁରକ୍ଷା ଯୋଗାଇ ଦିଆଯିବ ଓ ଏହାପରେ ଏହି ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯିବ ।

ଏସପିଜି ସୁରକ୍ଷାକୁ ନେଇ ସେତେବେଳେ ପ୍ରଶ୍ନ ଉଠିଥିଲା ଯେତେବେଳେ ବଜେଟରେ ଏସପିଜି ପାଇଁ ଆବଶ୍ୟକୀୟ ଫଣ୍ଡରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ଏସପିଜି ସୁରକ୍ଷା ବ୍ୟବସ୍ଥା ପାଇଁ ୫୯୨.୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା । ଗତ ଆର୍ଥିକ ବର୍ଷରେ ଏହା ୫୪୦.୧୬ କୋଟି ଥିଲା । ସେତେବେଳେ ଚାରି ଜଣ ବ୍ୟକ୍ତିଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଥିଲା । ଅଥାର୍ତ ଜଣେ ବ୍ୟକ୍ତି ପିଛା ଏସପିଜି ସୁରକ୍ଷା ବାବଦକୁ ବର୍ଷକୁ ୧୩୫ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା । କିନ୍ତୁ ଏବେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଛି । କିନ୍ତୁ ଖର୍ଚ୍ଚ ବଢି ୫୯୨ କୋଟିରେ ପହଞ୍ଚିଛି । ଅଥାର୍ତ ଦୈନିକ ପ୍ରାୟ ୧ କୋଟି ୬୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ବାବଦକୁ ଖର୍ଚ୍ଚ ହେଉଛି ।

ଗତବର୍ଷ ଏସପିଜି ସୁରକ୍ଷା ଆଇନରେ ସଂଶୋଧନ ଆସିବା ପୂର୍ବରୁ ଏହି ସୁବିଧା ପ୍ରଧାନମନ୍ତ୍ରୀଙ୍କ ସମେତ ଗାନ୍ଧୀ ପରିବାରର ୩ ସଦସ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳୁଥିଲା । କିନ୍ତୁ ଗତବର୍ଷ ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ହଟାଇ ନେଇଥିଲେ କେନ୍ଦ୍ର ସରକାର । ଏସପିଜି ସୁରକ୍ଷା ବଦଳରେ ଗାନ୍ଧୀ ପରିବାରର ସଦସ୍ୟଙ୍କ ସୁରକ୍ଷାରେ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଥିଲା । କେବଳ ଗାନ୍ଧୀ ପରିବାର କାହିଁକି ଦେଶର ୫୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସିଆରପିଏଫ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ । ତେବେ ସୁରକ୍ଷା କାରଣରୁ କେଉଁମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି ତାହା ସ୍ପଷ୍ଟ କରିନଥିଲେ କେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡୀ ।