ବାତ୍ୟା ‘ଗୁଲାବ’ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ୧୫ଟି ଗାଁର ୫୮୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର।

307

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବା ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସତର୍କ ହୋଇଯାଇଛନ୍ତି । ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉ ଥିବାବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଗଜପତି ଜିଲ୍ଲାର ୭ଟି ବ୍ଲକର ୧୫ଟି ଗାଁରୁ ଶନିବାର ସନ୍ଧ୍ୟା ସୁଦ୍ଧା ୧୫ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୫୮୬ ଜଣଙ୍କୁ ରଖାଯାଇଛି । ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ୮ ହଜାର ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ଗୁଲାବ’ରେ ପରିଣତ ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଗୁଲାବ’ ସଂପର୍କରେ ସୂଚନା ଦେଇ କହିଛି ଯେ ଆଜି (ଶନିବାର) ଅପରାହ୍ନ ୫ଟା୩୦ ସୁଦ୍ଧା ବାତ୍ୟା ‘ଗୁଲାବ’ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶାର ଗୋପାଳପୁର ଠାରୁ ୩୭୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଠାରୁ ୪୪୦ କିଲୋମିଟର ଦୂରରେ ରହିଛିଯ ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ବେଗରେ ପବନ ବହିବ।