ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ୫୮ରୁ ୫୭ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା; ସୁରତରୁ ୪୧, ପଶ୍ଚିମବଙ୍ଗରୁ ୧୦, କର୍ଣ୍ଣାଟକରୁ ୫ ଓ ମହାରାଷ୍ଟ୍ରୁରୁ ୧: ଅନୁଗୁଳର ଜଣେ ଆକ୍ରାନ୍ତ ସ୍ଥାନୀୟ ଅଂଚଳର ସୂଚନା

1,388

କନକ ବ୍ୟୁରୋ: ଆସିଲା ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫୮ ନୂଆ ଆକ୍ରାନ୍ତଙ୍କ ତଥ୍ୟ । ତେବେ ରାଜ୍ୟରେ କରୋନାର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ୨୦ ଜିଲ୍ଲାକୁ କାୟା ବିସ୍ତାର କରିସାରିଲାଣି କରୋନା । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୮ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଗଂଜାମ, ବାଲେଶ୍ୱର, ଅନୁଗୁଳ ଓ ମୟୂରଭଂଜରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛ, ଚିହ୍ନଟ ହୋଇଥିବା ମୋଟ ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ସଂକ୍ରମିତ ହେଉଛନ୍ତି ପ୍ରବାସୀ ଓଡିଆ । ତେବେ ୪୧ ଜଣ ସୁରତରୁ ଫେରିଥିବା ବେଳେ ପଶ୍ଚିମବଙ୍ଗରୁ ଫେରିଛନ୍ତି ୧୦ । ସେହିଭଳି କର୍ଣ୍ଣାଟକରୁ ଫେରିଥିବା ୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରୁ ଆସିଥିବା ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ତେବେ ଅନୁଗୁଳର ଜଣେ ଆକ୍ରାନ୍ତ ସ୍ଥାନୀୟ ଅଂଚଳର ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ  । ତେବେ ଅନୁଗୁଳ ଜଣେ ଆକ୍ରାନ୍ତଙ୍କ ଠାରୁ ବାକି ସମସ୍ତ ଆକ୍ରାନ୍ତ ସରକାରୀ ସଂଗରୋଧ କେନ୍ଦ୍ରରେ ରହୁଥିଲେ ।

ଆଜି ଗଂଜାମର ୨୯, ବାଲେଶ୍ୱରର ୧୫, ଅନୁଗୁଳ ୧୩, ମୟୂରଭଂଜରେ ଜଣେ ପଜିଟିଭ ଚିହ୍ନଟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସୁରତ ଲିଙ୍କ ରହିଛି । ମୟୂରଭଂଜ ଆକ୍ରାନ୍ତ ବି ସୁରତ ଫେରନ୍ତା । ସେହିଭଳି ବାଲେଶ୍ୱରର ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢିଛି । ବାଲେଶ୍ୱରରେ ଆଜିର ୧୫ ଜଣଙ୍କୁ ନେଇ ଆକ୍ରାନ୍ତଙ୍କ ତାଲିକା ୪୨କୁ ବୃଦ୍ଧି ହୋଇଛି । ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟ ୧୦ କୋଲକାତାରୁ ଫେରିଥିବା ବେଳେ ୫ ଜଣ କର୍ଣ୍ଣାଟକରୁ ଫେରିଛନ୍ତି । ଅନୁଗୁଳରେ ୧୩ ନୂଆ ଆକ୍ରାନ୍ତ ଥିବା ବେଳେ ମୟୂରଭଂଜରେ ନୂଆ ଜଣେ ପଜିଟିଭକୁ ନେଇ ଆକ୍ରାନ୍ତ ତାଲିକା ୮ରେ ପହଂଚିଛି ।