୧୯୩୧ ଛାତ୍ରଛାତ୍ରୀଙ୍କୁ ୫୭ କୋଟିର ଋଣ ଦେଇଛି ଉଚ୍ଚଶିକ୍ଷା ବିଭାଗ, ସୁଝିବା ବେଳକୁ ଦେଉଛନ୍ତି ପଛଘୁଞ୍ଚା । 

211

କନକ ବ୍ୟୁରୋ :  ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ଋଣ ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗରୁ କିଏ ୫ ହଜାର ନେଇଛି ତ ଆଉ କିଏ ୫୦ ହଜାର। କେହି କେହି ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ‌ବି ଋଣ ନେଇଛନ୍ତି। ଦୀର୍ଘ ବର୍ଷ ହେଲା ଏମାନେ ଋଣ ନେଇଥିଲେ ମଧ୍ୟ ପଇଠ କରିବାକୁ ଆଦୌ ଆଗଭର ଦେଖାଉନାହାନ୍ତି। ବାରମ୍ବାର କହିବା ପରେ ମଧ୍ୟ ଶୁଣୁ ନାହାନ୍ତି। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆସନ୍ତା ୩ ମାସ ମଧ୍ୟରେ ଋଣଗ୍ରହୀତାମାନେ ଇ-ପେମେଣ୍ଟ ମାଧ୍ୟମରେ ବକେୟା ଋଣ ପଇଠ କରିପାରିବେ। ଯଦି କୌଣସି ଛାତ୍ରଛାତ୍ରୀ ଏଥିରେ ଖିଲାପ କରନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ଚେତାବନୀ ଦେଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୧୩୯୧ ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ରାଜ୍ୟ ସରକାରଙ୍କର ୫୭ କୋଟିରୁ ଅଧିକ ଟଙ୍କାର ଋଣ ବକେୟା ପଡ଼ିଛି। ଇଞ୍ଜିନିୟରିଂ, ମେଡିକାଲ, ଡିପ୍ଲୋମା, ପ୍ରାଣୀ ଚିକିତ୍ସା, ମତ୍ସ୍ୟ ଓ ଅନ୍ୟାନ୍ୟ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଋଣ ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଇଠ କରିନାହାନ୍ତି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଶିକ୍ଷା ଲାଗି ସର୍ବାଧିକ ୫୫୭ ଜଣ ଉଚ୍ଚଶିକ୍ଷା ବିଭାଗରୁ ଋଣ ନେଇଛନ୍ତି। ଯେତେବେଳେ କି ମେଡିକାଲ ପାଠ୍ୟକ୍ରମ ଲାଗି ୫୧୦ ଜଣ, ଡିପ୍ଲୋମା ପାଠ୍ୟକ୍ରମ ଲାଗି ୧୨୪, ପ୍ରାଣୀ ଚିକିତ୍ସା ପାଠ୍ୟକ୍ରମ ପାଇଁ ୬୬, କୃଷି ପାଠ୍ୟକ୍ରମ ଲାଗି ୪୭, ମତ୍ସ୍ୟ ପାଠ୍ୟକ୍ରମ ପାଇଁ ୨୦ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଲାଗି ୪୭ ଜଣ ଋଣ ନେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁଯାତୟୀ ମେଡିକାଲ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୩୫ କୋଟି ଟଙ୍କାର ଋଣ ଦିଆଯାଇଛି। ଆଉ କୌଣସି ବି ପାଠ୍ୟକ୍ରମ ଲାଗି ଏତେ ସଂଖ୍ୟକ ଋଣ ଦିଆଯାଇ ନାହିଁ। ଏହି ପାଠ୍ୟକ୍ରମର ଅଧିକାଂଶ ପିଲା ୭୫ ହଜାର ଲେଖାଏଁ ଋଣ ନେଇଛନ୍ତି। ଅଳ୍ପ କିଛି ପିଲାଙ୍କ ଋଣ ପରିମାଣ ୧୦ ହଜାରରୁ କମ୍‌ ରାହିଛି। ମେଡିକାଲ ପାଠ୍ୟକ୍ରମ ତଳକୁ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରାୟ ୨୩ କୋଟି ଟଙ୍କାର ଋଣ ନେଇଛନ୍ତି। ଅଧିକାଂଶ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ୩୬ ହଜାର ଓ ୪୮ ହଜାର ଟଙ୍କା ନେଇଛନ୍ତି। ଏମିତି ଜଣେ ଛାତ୍ର ରହିଛନ୍ତି, ଯାହାଙ୍କ ମୁଣ୍ଡରେ ମାତ୍ର ୫୦୦ ଟଙ୍କା ଋଣ ରହିଛି। ପ୍ରାଣୀ ଚିକିତ୍ସା,ବିଜ୍ଞାନ ପାଠ୍ୟକ୍ରମ ପାଇଁ ପ୍ରାୟ ୨୫ ଲକ୍ଷ, କୃଷି ପାଠ୍ୟକ୍ରମ ଲାଗି ୧୨ ଲକ୍ଷ, ମତ୍ସ୍ୟ ବିଜ୍ଞାନ ପାଠ୍ୟକ୍ରମ ପାଇଁ ୫ ଲକ୍ଷ, ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀ ୨୨ ଲକ୍ଷ ଟଙ୍କାର ଋଣ ନେଇଛନ୍ତି। ଏହାବାଦ୍‌ ମିସଲାନିୟସ୍‌ ତଥା ଅନ୍ୟାନ୍ୟ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ୪୧ ଜଣ ଛାତ୍ରଛାତ୍ରୀ ୪ ଲକ୍ଷରୁ ଅଧିକ ଟଙ୍କା ଉଚ୍ଚଶିକ୍ଷା ବିଭାଗରୁ ନେଇଛନ୍ତି।

ଛାତ୍ରଛାତ୍ରୀ ଋଣ ସୁଝୁ ନ ଥିବାରୁ ଆଜି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିବା ସହ ଋଣଗ୍ରହୀତାଙ୍କ ନାମ ତାଲିକା ପ୍ରକାଶ କରିଛି। ଯେଉଁମାନେ ଋଣ ନେଇଥିଲେ ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଋଣ ପରିଶୋଧ କରିବାକୁ କୁହାଯାଇଛି। ଅନଲାଇନ୍‌ ପୋର୍ଟାଲ odishatreasury.gov.in <http://odishatreasury.gov.in> ପରିଦର୍ଶନ କରି ଋଣଗ୍ରହୀତା ଇ-ପେମେଣ୍ଟ ଗେଟୱେ ମାଧ୍ୟମରେ ନିଜର ଋଣ ପଇଠ କରିପାରିବେ। ଋଣ ପଇଠ ପରେ ଇ-ଚାଲାନକୁ ଇମେଲ୍‌ scholarshiphedgov@gmail.com <mailto:scholarshiphedgov@gmail.com> କିମ୍ବା ଚିଠି ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିବେ। ଋଣ ପରିଶୋଧ କରି ନ ଥିବା ବ୍ୟକ୍ତିଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟରେ ପ୍ରକାଶ କରାଯାଇଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କହିଛନ୍ତି।