ଦୂରହେବ ଅକ୍ସିଜେନ ଅଭାବ । ଦେଶର ନିର୍ମାଣ ହେବ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ । ବିନିଯୋଗ ହେବ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ

308

କନକ ବ୍ୟୁରୋ : ଦେଶରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବକୁ ନେଇ ଏବେ ଚାରିଆଡେ ହାହାକାର    । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର ଫଣ୍ଡରୁ ସାରା ଦେଶର ୫୫୧ ଟି ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ଖୁବଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାମ ଆରମ୍ଭ କରାଯାଉ । ଫଳରେ ଜିଲ୍ଲାସ୍ତରରେ ଅକ୍ସିଜେନର ଆବଶ୍ୟକତା ପୁରଣ କରାଯାଇପାରିବ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ୫୫୧ ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ନିକଟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ । ଯାହାଫଳରେ ଅକ୍ସିଜେନ ଯୋଗାଣ ନେଇ ଉପୁଜୁଥିବା ସମସ୍ୟା ଦେଖାଦେବ ନାହିଁ ।

ଅନ୍ୟପଟେ ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଗାନ୍ଧୀନଗର ସଂସଦୀୟ କ୍ଷେତ୍ର କୋଲାବାଡା ଠାରେ ଥିବା ଏକ ଆର୍ୟୁବେଦିକ ମେଡିକାଲ ନିକଟରେ ପ୍ରତି ମିନିଟରେ ୨୮୦ ଲିଟର ଉତ୍ପାଦନ କ୍ଷମତା ଥିବା ଏକ ପ୍ରେସର ସ୍ୱିଂଗ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କରିସାରିଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ କହିଛନ୍ତି କି ପିଏମ କେୟାର ଫଣ୍ଡରୁ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ହୋଇସାରିଛି । ଏହି କ୍ରମରେ ଗୁଜୁରାଟରେ ୧୧ ଟି ନୂଆ ପ୍ରେସର ସ୍ୱିଂଗ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଯୋଜନା ରହିଥିବା ବେଳେ ସାରା ଦେଶରେ ୫୫୧ ଟି ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯିବ ।