ଆପଣ ଗୁଗୁଲ ବୟ କୌଟଲ୍ୟ ଓ ଗୁଗଲ ଗର୍ଲ ପ୍ରେରଣା ଶର୍ମାଙ୍କ କଥା ତ ଶୁଣିଥିବେ । ହେଲେ କ’ଣ ଆପଣ ପଞ୍ଜାବର ୫୫ ବର୍ଷୀୟା କୁଲବନ୍ତ କୌରଙ୍କ ଅବିଶ୍ୱସନୀୟ କାରନାମା ବିଷୟରେ ଜାଣିଛନ୍ତି କି? କୁଲବନ୍ତ କୌରଙ୍କୁ ଯାହାକିଛି ପ୍ରଶ୍ନ କଲେ ସେ ତୁରନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି । ଏପରିକି ଏହି ୫୫ ବର୍ଷୀୟା ବୃଦ୍ଧାଙ୍କୁ ଏବେ ‘ଗୁଗୁଲ ବେବେ’ ବୋଲି ଡକାଯାଉଛି । ଆପଣ ତାଙ୍କୁ ଇତିହାସରେ ଘଟିଥିବା ଅନେକ ତଥ୍ୟ ଯେମିତିକି କିଏ, କେବେ, କେଉଁଭଳି ଏବଂ କାହିଁକି ଭାରତକୁ ଆକ୍ରମଣ କରିଥିଲା? ଏବଂ ୟହୁଦୀ, ଇସାଇ, ଇସଲାମ, ବୌଦ୍ଧ , ଶିଖ ଏବଂ ହିନ୍ଦୁ ଧର୍ମଗୁରୁ କିଏ, ତାଙ୍କର ନୀତିଶିକ୍ଷା ବାଣୀ ଓ ଉପଦେଶ ସହ ସେମାନଙ୍କ ମାତା-ପିତାଙ୍କ ସମ୍ବନ୍ଧରେ ସମସ୍ତ ପ୍ରକାର ତଥ୍ୟ କୁଳବନ୍ତ କୌର ଗୁଗଲ ଇଂଜିନ ଭଳି ଉତ୍ତର ଦେଉଛନ୍ତି ।
ଏହାସହିତ ଏହି ୫୫ବର୍ଷୀୟା ବୃଦ୍ଧା ମହିଳା ଭାରତର ପ୍ରମୂଖ ସଭ୍ୟତା ଆର୍ଯ୍ୟବଂଶ, ବୌଦ୍ଧ ଧର୍ମ ବିରୋଧୀ ଆଲ୍ଲାଉଦ୍ଦୀନ ଖୀଲଜୀ, ସିକନ୍ଦର ପୋରସର ଆକ୍ରମଣକୁ ରୋକିଥିବା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ ସମ୍ରାଟଙ୍କ ସହ ମହାରାଜା ରଣଜୀତ ସିଂହଙ୍କ ଭଳି ଅନେକ ରାଜା ମହାରାଜାଙ୍କ ଜୀବନୀକାଳ, ତାଙ୍କ ପରିବାର ଏବଂ ଇତିହାସ ସମ୍ବନ୍ଧରେ ସମସ୍ତ ତଥ୍ୟ ଗୁଗୁଲ ବେବେ କୁଲବନ୍ତଙ୍କ ମସ୍ତିଷ୍କରେ ଅଛି ।
ସବୁଠାରୁ ରୋଚକ କଥା ହେଲା କୁଲବନ୍ତ ବେବେ ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ହେଲେ ତାଙ୍କର ଦୃଢ଼ ବିଶ୍ୱାସ ଆଉ ସଂକଳ୍ପ ତାଙ୍କୁ ଦେଇଛି ଅନନ୍ୟ ପରିଚୟ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ପିଲାଦିନରୁ ଆର୍ଥିକ ପରିସ୍ଥିତି ଦୁର୍ବଳ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବାଧା ଦେଖାଯାଇଥିଲା । ପିଲାଦିନରୁ ତାଙ୍କ ଘରକୁ ଜଣେ କପଡା ବେପାରୀ ଆସେ ଏବଂ ତାଙ୍କ ପାଖରେ ବସି ବିଭିନ୍ନ ଧର୍ମ ବିଷୟରେ ଜାଣିବାକୁ ସେ ଉତ୍ସାହିତ ଥାଆନ୍ତି । ସେବେଠାରୁ ଏହି ଗୁଗୁଲ ବେବେ ଇତିହାସର ପ୍ରାଚୀନ ସଭ୍ୟତା ଏବଂ ଅନ୍ୟ ସମସ୍ତ ତଥ୍ୟ ବିଷୟରେ ଜାଣିବା ପାଇଁ ଲାଗିପଡିଥିଲେ । କୁଲବନ୍ତ ହିଷ୍ଟୋରୀ ଅଫ ଇଣ୍ଡିଆ, ହିଷ୍ଟୋରୀ ଅଫ ପଞ୍ଜାବ, ଡିସକଭରୀ ଅଫ ଇଣ୍ଡିଆ, ଡିସକଭରୀ ଅଫ ପଞ୍ଜାବ ସହିତ ଅନେକ ଧର୍ମ ସମ୍ବନ୍ଧୀୟ ପୁସ୍ତକ ୨୨ବର୍ଷ ଧରି ଅଧ୍ୟୟନ କରିଛନ୍ତି । କୁଲବନ୍ତ କୌର ଆଗକୁ ବିଭିନ୍ନ ଧର୍ମ ଉପରେ ପିଏଚଡି କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ।