ନବ ଦାସ ହତ୍ୟା ମାମଲାରେ ୫୪୩ ପୃଷ୍ଠାର ଚାର୍ଜସିଟ୍: ହତ୍ୟାକାଣ୍ଡର ରହସ୍ୟ ଖୋଲି ପାରିଲାନି କ୍ରାଇମବ୍ରାଞ୍ଚ

189

କନକ ବ୍ୟୁରୋ: ମେ’ ୨୯ରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪ ମାସ ପୂରୁଛି । ଏହାର ୩ ଦିନ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ବା ଅଭିଯୋଗ ପତ୍ର ଦାଖଲ କରିଛି କ୍ରାଇମବ୍ରାଂଚ । ୫୪୩ ପୃଷ୍ଠାର ଚାର୍ଜସିଟ୍ରେ ଅପରାଧ ଓ ତଦନ୍ତର ବିବରଣୀ ରହିଛି । ଗୋପଳ ଦାସ ବିରୋଧରେ

ଆଇପିସି ଧାରା ୩୦୭ – ହତ୍ୟା ଉଦ୍ୟମ
ଧାରା ୩୦୨ – ହତ୍ୟା
ଧାରା ୨୭(୧) – ଆର୍ମ୍ସ ଆକ୍ଟ

ଲାଗିଛି । କିନ୍ତୁ ୧୨୦ (ବି) ହତ୍ୟା ଓ ଷଡଯନ୍ତ୍ରର ଦଫା ଲଗାଇନାହିଁ ତଦନ୍ତକାରୀ ସଂସ୍ଥା । ଅର୍ଥାତ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଥିଲେ, ତାକୁ ବାଏଁ ବାଏଁ ଉଡାଇ ଦେଇଛି କ୍ରାଇମବ୍ରାଂଚ । ଏହାର ଅର୍ଥ ହେଉଛି, ଅପରାଧ କେବଳ ଗୋପଳ ଦାସ କରିଛି । ଏହା ପଛରେ ଆଉ କେହି ନାହାନ୍ତି ବୋଲି ଦର୍ଶାଯାଇଛି ।
ନଜର ପକାଇବା କ୍ରାଇମବ୍ରାଂଚ ଦାଖଲ କରିଥିବା ଚାର୍ଜ ସିଟ୍ରେ କ’ଣ ରହିଛି ।

ଗୋପାଳ ବିରୋଧରେ ଚାର୍ଜସିଟ୍
୧୦ଟି ଟିମ୍ ତଦନ୍ତ କରିଛି, ୮୯ ଜଣଙ୍କ ଠାରୁ ସାକ୍ଷ୍ୟ ନିଆଯାଇଛି
ପିସ୍ତଲ, ଗୁଳି, ଖାଲି କାର୍ଟ୍ରିଜ ଆଦି ଜବତ ହୋଇଛି
ଅତ୍ୟାଧୁନିକ ଉପକରଣ ଓ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରାଯାଇଛି
ହତ୍ୟାକାଣ୍ଡ ସ୍ଥଳରେ ଫାରୋ କ୍ୟାମେରାରେ ରେକଡିଂ କରାଯାଇଛି
ଅଭିଯୁକ୍ତର ଏଲ୍ଭିଏ ଟେଷ୍ଟ, ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଛି
ବିଭିନ୍ନ ମେଡିକାଲ ଟେଷ୍ଟ ଦ୍ୱାରା ଜଣାପଡିଛି ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ଅଛି
ଯୋଜନା ମୁତାବକ ନବ ଦାସଙ୍କର ହତ୍ୟା କରିଛି ଅଭିଯୁକ୍ତ
ନବ ଦାସଙ୍କ ଉପରେ ଗୋପାଳ ଦାସର ବ୍ୟକ୍ତିଗତ ରାଗ ଥିଲା
ନବ ଦାସ ଓ ତାଙ୍କ ସମର୍ଥକ ତାଙ୍କୁ ମାରି ଦେଇପାରନ୍ତି ବୋଲି ଗୋପାଳ ମନରେ ଆଶଙ୍କା ଥିଲା
ତେଣୁ ନବ ଦାସଙ୍କ ହତ୍ୟା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇଥିଲା ଗୋପାଳ
ତେବେ ଏହି ଚାର୍ଜ ସିଟ୍ ଅନେକ ପ୍ରଶ୍ନର ଉତର ଦେବାକୁ ସକ୍ଷମ ହୋଇନାହିଁ । ବରଂ ଏଥିରୁ ଆଉ କିଛି ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି ।
ନବ ଦାସଙ୍କୁ ହତ୍ୟା କରିବା ପଛରେ ଗୋପାଳର ବ୍ୟକ୍ତିଗତ କାରଣ କ’ଣ?
କାହିଁକି ତାଙ୍କୁ ମାରି ଦିଆଯିବ ବୋଲି ଆଶଙ୍କା କରୁଥିଲା ଗୋପାଳ?
ମାନସିକ ସୁସ୍ଥ ଥିବା ଅଭିଯୁକ୍ତକୁ ନିମହାନ୍ସ ନେବା ପାଇଁ କାହିଁକି ଆବେଦନ କରିଥିଲା କ୍ରାଇମବ୍ରାଂଚ?