କନକ ବ୍ୟୁରୋ: ବରଗଡ ଜିଲ୍ଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଋଣ ଜାଲିଆତି ମାମଲା । ଏଥର ମାମଲା ସବୁ ସୀମା ଡେଇଁଛି । ପୁଲିସ ଯଦି ମାମଲା ରୁଜୁ କରେ, ତେବେ ପ୍ରାୟ ୫୫୦ ଜଣଙ୍କୁ ଜେଲ ପଠାଇ ପାରେ । କାରଣ ୫୪୨ ଜଣ ବ୍ୟକ୍ତି ଜାଲପଟ୍ଟା ଦାଖଲ କରି କିସାନ କ୍ରେଡିଟ୍ କାର୍ଡ ଋଣ ଉଠାଇଛନ୍ତି । ଅନ୍ୟମାନଙ୍କ ଜମିକୁ ବନ୍ଧକ ରଖି ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିବା ଜଣାପଡିବା ପରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ଦାଖଲ କରିବା ପାଇଁ ପୁଲିସ କହିଥିବା ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୨ରେ ଏକ ଋଣ ମାମଲାରେ କିଛି ଦିନ ତଳେ ୩ ଅଭିଯୁକ୍ତଙ୍କୁ ଜେଲ ପଠାଇଥିଲା ପୁଲିସ । ସେହି ଗୋଟିଏ ମାମଲାରେ ତଦନ୍ତ କରୁକରୁ ୫୪୨ଟି ଋଣ ଜାଲପଟ୍ଟାରେ ଉଠିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବରଗଡ଼ ଓ ନିକଟସ୍ଥ ଗାଁର ଚାଷୀଙ୍କ ଅଜଣାତରେ ସେମାନଙ୍କ ଜମିକୁ ଜାଲିଆତି କରି କିସାନ କ୍ରେଡିଟ୍ କାର୍ଡରେ ଲୋନ୍ ଉଠାଯାଇଛି ! ଏନେଇ ୨୦୨୦ରେ ଇଣ୍ଡିଆନ୍ ବ୍ୟାଙ୍କ କର୍ତ୍ତୃପକ୍ଷ ବରଗଡ ଟାଉନ ଥାନାରେ ଏତଲା ଦେଇଥିଲେ । ସେପଟେ ଏହି ଠକେଇ ପଛରେ ଏକ ର୍ୟାକେଟ୍ କାମ କରୁଥିବା ବେଳେ ବ୍ୟାଙ୍କ ଓ ତହସିଲର କିଛି କର୍ମଚାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।